ବଡ଼ମ୍ବା (କୋଶଳ ପ୍ରହରୀ: ଚାରିଆଡ଼େ ବିଲ, ମଝିରେ ପୋଖରୀ। ହଠାତ୍ ଘଟିଗଲା ଅଘଟଣ। ଗାଡ଼ି ଧୋଇବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କ ଗୋଡ଼ ଖସିଯିବାରୁ ସେ ପୋଖରୀରେ ବୁଡ଼ି ଗୁରୁତର ହୋଇପଡ଼ିଥିଲେ। ଏଭଳି ବିପଦ ସମୟରେ ତାଙ୍କ ପାଇଁ ଦେବଦୂତ ସାଜି ପହଞ୍ଚିଥିଲା ୧୦୮ ଆମ୍ବୁଲାନ୍ସ। ଘଟଣାଟି କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ଥାନା ଅଧୀନ ମାନପୁର ଗ୍ରାମର। ଗାଡ଼ି ଧୋଇବା ପାଇଁ ବିଲ ମଝିରେ ଥିବା ପୋଖରୀକୁ ଯାଇଥିବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ବ୍ୟକ୍ତିଜଣକ ପାଣିରେ ବୁଡ଼ି ଗୁରୁତର ହୋଇଥିଲେ। ଖବର ପାଇ ତିଗିରିଆ ୧୦୮ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଇଲଟ୍ ଗୋପୀନାଥ ପଣ୍ଡା, ଇଏମ୍ଟି ପ୍ରଦ୍ୟୁମ୍ନ କୁମାର ପଟ୍ଟନାୟକ ଓ ସହଯୋଗୀ ମନୋଜ ବାରିକ ବିପଦକୁ ଖାତିର ନକରି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଆବଶ୍ୟକ ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ତାଙ୍କୁ ତୁରନ୍ତ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ସଙ୍କଟ ସମୟରେ ୧୦୮ କର୍ମଚାରୀଙ୍କ ତତ୍ପରତା, ଉପସ୍ଥିତ ବୁଦ୍ଧି ଓ ସାହସିକ ପଦକ୍ଷେପ ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟିଛି। ବିପଦ ଯେଉଁଠି, ସେଠି ତୁରନ୍ତ ପହଞ୍ଚି ଜୀବନ ରକ୍ଷା କରିବାରେ ୧୦୮ର ଭୂମିକା ପୁଣିଥରେ ପ୍ରମାଣିତ ହୋଇଛି।

0 Comments