ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

କାହା ଛତ୍ରଛାୟା ତଳେ କାକଟପୁର ବିଡିଓ?

ଅଭିଯୋଗର ମାସେ ପରେ ବି ତଦନ୍ତ ରିପୋର୍ଟ ନାହିଁ; ପିସି କାରବାର ଓ ଜାଲିଆତି ଅଭିଯୋଗକୁ ନେଇ ବଢ଼ୁଛି ସନ୍ଦେହ



କାକଟପୁର (କୋଶଳ ପ୍ରହରୀ) : କାକଟପୁର ବ୍ଲକ ଅଧୀନ କୁଣ୍ଢେଇ ଗ୍ରାମପଞ୍ଚାୟତରେ ୧୫ତମ ଅର୍ଥ କମିଶନ ପାଣ୍ଠିରେ ହୋଇଥିବା କଂକ୍ରିଟ୍‌ ରାସ୍ତା ମରାମତି କାର୍ଯ୍ୟରେ ଅନିୟମିତତା, ସରକାରୀ ଅର୍ଥ ଅପବ୍ୟବହାର ଓ ଜାଲିଆତି ହୋଇଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

କୈଳାସ ରାଉତଙ୍କ ଘରଠାରୁ ନରେନ୍ଦ୍ର ରାଉତଙ୍କ ଘର ପର୍ଯ୍ୟନ୍ତ ସିସି ରାସ୍ତା ମରାମତି କାର୍ଯ୍ୟରେ ଜାଲିଆତି ହୋଇଥିବା ଅଭିଯୋଗ କରି କିଛି ଗ୍ରାମବାସୀ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ କାକଟପୁର ଥାନା ପକ୍ଷରୁ DR No. 1565/PS, Dt. 16.06.2026 ଚିଠି ମାଧ୍ୟମରେ କାକଟପୁର ବିଡିଓଙ୍କୁ ଅବଗତ କରାଯାଇଥିଲା।

ଅଭିଯୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି କାକଟପୁର ବିଡିଓ ଆଦେଶ ନଂ-୧୭୫୫, ତାରିଖ ୧୬.୦୬.୨୦୨୬ ଅନୁଯାୟୀ ଏକ ୩ ଜଣିଆ ତଦନ୍ତକାରୀ କମିଟି ଗଠନ କରିଥିଲେ। କମିଟିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟଶ୍ରୀ ମିଶ୍ର, ସହକାରୀ ଯନ୍ତ୍ରୀ ଇନ୍ଦିରା ସ୍ୱାଇଁ ଏବଂ ସେକ୍ସନ ଅଫିସର ନଳିନୀକାନ୍ତ ଖଟୋଇଙ୍କୁ ସାମିଲ କରାଯାଇଥିଲା। ଆଦେଶନାମାରେ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା।

ମାତ୍ର ନିର୍ଦ୍ଦିଷ୍ଟ ସମୟସୀମା ଅତିକ୍ରମ କରି ଦୀର୍ଘ ମାସେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ତଦନ୍ତ ରିପୋର୍ଟ ସାର୍ବଜନୀନ ନହେବାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତଦନ୍ତ କମିଟି ରିପୋର୍ଟ ଦେଇଛି କି ନାହିଁ, ଯଦି ଦେଇଛି ତେବେ ତାହା ଉପରେ କ’ଣ ପଦକ୍ଷେପ ନିଆଯାଇଛି—ଏହାକୁ ନେଇ ଅଞ୍ଚଳବାସୀ ସ୍ପଷ୍ଟତା ଦାବି କରୁଛନ୍ତି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବ୍ଲକ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ କଥିତ ‘ପିସି’ କାରବାର ଯୋଗୁଁ କାମର ଗୁଣବତ୍ତା ପ୍ରଭାବିତ ହେଉଥିବା ସହ କାଗଜପତ୍ରରେ ଅନିୟମିତତା ହେଉଥିବା ଅଭିଯୋଗ ରହିଛି। ତେବେ ଏହି ଅଭିଯୋଗର ସତ୍ୟତା କେତେ, ତାହା ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ପୁଲିସ ପକ୍ଷରୁ ଚିଠି ଦିଆଯିବା ପରେ ମଧ୍ୟ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ କାହିଁକି ହେଉଛି, ଏବଂ ବିଡିଓଙ୍କ ଦ୍ୱାରା ଗଠିତ କମିଟିର ରିପୋର୍ଟ କେବେ ପ୍ରକାଶ ପାଇବ—ଏହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି।

ଅନ୍ୟପକ୍ଷରେ, କାକଟପୁର ବିଡିଓ ପିସି ବନ୍ଦ ନେଇ କଥା କହୁଥିବା ବେଳେ କଥିତ ୧୨ ପ୍ରତିଶତ ପିସି କାରବାର ସମ୍ପର୍କରେ ଉଠୁଥିବା ଅଭିଯୋଗର ସତ୍ୟତା କ’ଣ, ଏହାର ତଦନ୍ତ କାହିଁକି ହେଉନାହିଁ—ଏଭଳି ଅନେକ ପ୍ରଶ୍ନ ଏବେ ଅଞ୍ଚଳରେ ଘୁରି ବୁଲୁଛି।

ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତଦନ୍ତରେ ଆହୁରି ବିଳମ୍ବ ହେଲେ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି।

ତେବେ ପ୍ରଶ୍ନ ହେଉଛି—୭ ଦିନରେ ରିପୋର୍ଟ ଦେବାକୁ ଆଦେଶ ଥିବା ସତ୍ତ୍ୱେ ମାସେରୁ ଅଧିକ ସମୟ ପରେ ମଧ୍ୟ ତଦନ୍ତର ଫଳାଫଳ କାହିଁକି ସାମ୍ନାକୁ ଆସୁନାହିଁ? ଅଭିଯୋଗର ନିରପେକ୍ଷ ତଦନ୍ତ ହେବ ନା ମାମଲା ଫାଇଲ ମଧ୍ୟରେ ଚାପି ହୋଇ ରହିବ?

Post a Comment

0 Comments