ଟିଟିଲାଗଡ଼ (କୋଶଳ ପ୍ରହରୀ) ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ନାମରେ ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା କେବଳ ଠିକାଦାର ପୋଷା ସାର ହେଉଥିବା ଅନେକ ସମୟରେ ଚର୍ଚ୍ଚା ହୋଇ ଆସୁଛି । କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ପକ୍ଷରୁ ରାୟପୁରରୁ ବ୍ରହ୍ମପୁରକୁ ଜାତୀୟ ରାଜପଥ ୫୯ ଟିଟିଲାଗଡ଼ ରୁ ବେଲଗାଁ ରାସ୍ତା ନିର୍ମାଣ କାହାରି ଉଦ୍ଦେଶ୍ୟ ସାଧିତ ହେଲା ତାହା ଏକ ପ୍ରଶ୍ନବାଚୀ ହୋଇରହିଛି । ଗତ କିଛି ମାସ ତଳେ ନିର୍ମାଣ କାମ ସରିଥିବା ଏହି ରାସ୍ତାରେ ଟ୍ରାଫିକ ସେଭଳି ନାହିଁ । କାରଣ ରାୟପୁରରୁ ଆସୁଥିବା ଯାନବାହାନ ଗୁଡିକ ପାଇଁ ଖରିଆର, କଣ୍ଟାବାଞ୍ଜି ତଥା ଟିଟିଲାଗଡ଼ ସହରରୁ ଯିବାକୁ ହେଲେ ଅନେକ ବିକଳ୍ପ ମାର୍ଗ ରହିଛି । ସେହିପରି ବ୍ରହ୍ମପୁର ପଟରୁ କେବଳ ଗୋଟିଏ ଯାତ୍ରୀବାହୀ ବସ ବ୍ୟତୀତ ଅନ୍ୟ କୌଣସି ଭାରୀ ଯାନ ଏହି ରାସ୍ତା ଦେଇ ଯାତାୟାତ ହେଉଥିବା ଦେଖାଯାଏନାହିଁ । ୪୮କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୩ କିଲୋମିଟର ନୂତନ ଭାବରେ ପ୍ରଶସ୍ତ ସର୍ବଦା ଶୁନଶାନ ରାସ୍ତାଟି କେବଳ ଗ୍ରାମାଞ୍ଚଳର ଚାଷୀଙ୍କ ଧାନ ଶୁଖାଇବା ପାଇଁ ବ୍ୟବହୃତ ହେଉଥିବା ଦେଖାଯାଏ । ତେବେ ଏହି ରାସ୍ତା ପ୍ରଶସ୍ତିକରଣ ପାଇଁ ସମଗ୍ର ପ୍ରଶାସନ ଝାଲ ବୁହାଇଲା, ଚାଷୀଙ୍କ ସହ ଜମି ଅଧିଗ୍ରହଣ ସମୟରେ ଖଣ୍ଡ ଯୁଦ୍ଧ ହେଲା ତାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଜାତୀୟ ରାଜପଥ ବିଭାଗ ଯନ୍ତ୍ରୀ ଏଭଳି ସର୍ଭେ କଲେ ଯେ ପୁର୍ବ ରାସ୍ତାକୁ ବାଦ ଦେଇ ରାସ୍ତା ଦିଗ, ମୋଡ଼ ବଦଳାଇବାରୁ ସ୍ଥାନୀୟ ଚାଷୀଙ୍କ ଶତାଧିକ ଏକର ଦୁଇ ପୁରିଆ ଚାଷ ଜମି ବଳି ପଡିଲା । ଚାଷୀଙ୍କ ଉପଯୁକ୍ତ କ୍ଷତିପୂରଣ ଦାଵୀ ନେଇ ତୀବ୍ର ବିରୋଧକୁ ପ୍ରଶାସନ ପୁଲିସ ଲଗେଇ ଦମନ କରିଵା ଆଲୋଚନାର ବିଷୟ ହୋଇଥିଲା । ଏହା ସହ ରାସ୍ତା ପ୍ରଶସ୍ତିକରଣ ନାମରେ ଶତାଧିକ ବିରାଟ ବିରାଟ ବର, ପିପ୍ପଲ, ନିମ୍ବ ଆଦି ଗଛକୁ ନୃଶଂସତାର ସହ କାଟି ଦିଆ ଯାଇଥିଲା । ତେବେ ବର୍ତ୍ତମାନ ଏହି ନୂତନ ଭାବରେ ନିର୍ମିତ୍ତ ରାସ୍ତାଟି ଲୋକହସା ହୋଇଛି । ପୁର୍ବରୁ ଯେଭଳି ତେଲନଦୀରେ ବନ୍ୟା ଆସିଲେ ରାସ୍ତା ବୁଡି ଅବରୋଧ ହେଉଥିଲା, ବର୍ତ୍ତମାନ ମଧ୍ୟ ସେଭଳି ଅବସ୍ଥା । ଗତ କିଛି ଦିନ ତଳେ ତେଲନଦୀରେ ବନ୍ୟା ପାଣି ଆସି ରାସ୍ତା ଉପରେ ଦଶ ଫୁଟ ପାଣି ନେଇ ଯାତାୟାତ ବାଧାପ୍ରାପ୍ତ ହେଲା । ଏହାକୁ ନେଇ ଜାତୀୟ ରାଜପଥ ବିଭାଗର ଏହା କିଭଳି ଜ୍ଞାନ କୌଶଳ ବୋଲି ଚର୍ଚ୍ଚା ହୋଇଛି l ଯଥା ପୂର୍ବଂ ତଥା ପରଂ, କେବଳ ଠିକାଦାର ପୋଷା ସାର ହେଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଟିଟିଲାଗଡ଼ ଠାରେ ନିର୍ମିତ୍ତ ଜାତୀୟ ରାଜପଥ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ କୋଠାରେ ନ ରହି ବଲାଙ୍ଗୀର ରୁ ଯିବା ଆସିବା କରୁଛନ୍ତି , ମାତ୍ର କେବଳ ଜଣେ ପିଅନ ରହୁଛନ୍ତି । ଏନେଇ ନିର୍ବାହୀ ଯନ୍ତ୍ରୀ ଫୋନ ଗ୍ରହଣ କରୁନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପକ୍ଷରେ ରାସ୍ତା ନିର୍ମାଣ ପରେ ପ୍ରଥମ ଥର ବନ୍ୟା ପାଣିରେ ବୁଡି ରାସ୍ତା ଖରାପ ହେବାକୁ ବସିଲାଣି । ଏନେଇ ନୂତନ ରାସ୍ତା ନିର୍ମାଣ ପାଇଁ ସର୍ଭେ, ଖର୍ଚ୍ଚ ଆକଳନ କରିଥିବା ସଂସ୍ଥା ତଥା ବିଭାଗୀୟ ଯନ୍ତ୍ରୀଙ୍କ ବିରୁଦ୍ଧରେ ନୁଆଁ ରାସ୍ତା ପାଣିରେ ବୁଡିବା, ଅଯଥାରେ ଚାଷୀଙ୍କ ମୂଲ୍ୟବାନ ପୈତୃକ ଚାଷ ଜମି ହଡ଼ପ, ଶହ ଶହ ବୃକ୍ଷ କାଟ ନେଇ ଡବଲ ଇଞ୍ଜିନ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ବୋଲି ଟିଟିଲାଗଡ଼ କୃଷକ ସଂଘର୍ଷ ଅଭିଯାନ ସମିତି ଆବାହକ ବାଳକୃଷ୍ଣ ଷାଣ୍ଢ, ସଦସ୍ୟ ଅଭୟ ସାହୁ, ବେଣୁଧର ଝାଙ୍କର, ଜିତୁ ସାହୁ ପ୍ରମୁଖ କହିଛନ୍ତି ।

0 Comments