ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ସିନ୍ଧେକେଲା CHCରେ ସ୍ୱାସ୍ଥ୍ୟସେବା ସୁଦୃଢ଼ ଦାବି

ଓଡ଼ିଶା ଜନତା କଂଗ୍ରେସ ବଲାଙ୍ଗିର ଜିଲ୍ଲା ସଭାପତି ରୁପେଶ କୁମାର ବେହେରାଙ୍କ ନେତୃତ୍ୱରେ CDMOଙ୍କୁ ସ୍ମାରକପତ୍ର


ସିନ୍ଧେକେଲା, ୧୨/୦୮ (କୋଶଳ ପ୍ରହରୀ) : ସିନ୍ଧେକେଲା ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଚିକିତ୍ସା ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦାବିରେ ଓଡ଼ିଶା ଜନତା କଂଗ୍ରେସ ବଲାଙ୍ଗିର ଜିଲ୍ଲା ସଭାପତି ରୁପେଶ କୁମାର ବେହେରାଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସିନ୍ଧେକେଲା ଓ ଏହାର ଆଖପାଖ ଅଞ୍ଚଳର ବହୁ ଲୋକ ଚିକିତ୍ସାସେବା ପାଇଁ ସିନ୍ଧେକେଲା CHC ଉପରେ ନିର୍ଭରଶୀଳ। ତେବେ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ମାନବସମ୍ବଳ ଓ ଚିକିତ୍ସା ଭିତ୍ତିଭୂମିର ଅଭାବ ଯୋଗୁଁ ରୋଗୀମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦାବି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି CHCରେ ଆବଶ୍ୟକ ସୁବିଧା ତୁରନ୍ତ ଉପଲବ୍ଧ କରାଇବାକୁ ଦାବି ହୋଇଛି।

ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଅତିରିକ୍ତ ନର୍ସ ନିଯୁକ୍ତି, ୨୪×୭ ମେଡିସିନ୍‌ ଷ୍ଟୋର/ଫାର୍ମାସି ବ୍ୟବସ୍ଥା, ମହିଳା ବିଶେଷଜ୍ଞ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି, ଅଲ୍ଟ୍ରାସାଉଣ୍ଡ ମେସିନ୍‌ ସ୍ଥାପନ ଏବଂ ଏକ୍ସ-ରେ ମେସିନ୍‌ ଉପଲବ୍ଧ କରାଇବା ଭଳି ପ୍ରମୁଖ ଦାବି ରହିଛି।

ବିଶେଷକରି ମହିଳା ଓ ଗର୍ଭବତୀଙ୍କ ଚିକିତ୍ସା ପାଇଁ ମହିଳା ବିଶେଷଜ୍ଞ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ସହ ଆବଶ୍ୟକ ଡାଏଗ୍ନୋଷ୍ଟିକ୍‌ ସୁବିଧା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।ଅଲ୍ଟ୍ରାସାଉଣ୍ଡ ଓ ଏକ୍ସ-ରେ ଭଳି ପରୀକ୍ଷା ସୁବିଧା CHCରେ ଉପଲବ୍ଧ ହେଲେ ରୋଗୀମାନଙ୍କୁ ଛୋଟଛୋଟ ପରୀକ୍ଷା ପାଇଁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ବୋଲି ଦାବିକାରୀମାନେ କହିଛନ୍ତି। ସେହିପରି ୨୪ ଘଣ୍ଟିଆ ମେଡିସିନ୍‌ ଷ୍ଟୋର/ଫାର୍ମାସି ବ୍ୟବସ୍ଥା ହେଲେ ରାତ୍ରି ସମୟରେ ଜରୁରୀ ଚିକିତ୍ସା ନେଉଥିବା ରୋଗୀମାନେ ମଧ୍ୟ ଆବଶ୍ୟକ ଔଷଧ ପାଇପାରିବେ। ଅତିରିକ୍ତ ନର୍ସ ନିଯୁକ୍ତି ଦ୍ୱାରା ରୋଗୀ ସେବା ଆହୁରି ସୁଦୃଢ଼ ହେବ ବୋଲି ମଧ୍ୟ ଦାବି କରାଯାଇଛି। ସିନ୍ଧେକେଲା ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ଉକ୍ତ ଦାବିଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନେବା ସହ CHCରେ ଆବଶ୍ୟକ ମାନବସମ୍ବଳ ଓ ଚିକିତ୍ସା ଭିତ୍ତିଭୂମି ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଦାବି ହୋଇଛି।

ଦାବିପତ୍ର ପ୍ରଦାନ ସମୟରେ ବିକାଶ ବେହେରା (ରାଜ୍ୟ ସମ୍ପାଦକ), ଚିତାର ବେହେରା, ସରୋଜ କୁମାର ବାରିକ, ଥାୟାରାଜ ସାହୁ, ଯଶୋବନ୍ତ ରଣା ଓ ପ୍ରହଲ୍ଲାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments