ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ


କଣ୍ଟାବାଞ୍ଜି (କୋଶଳ ପ୍ରହରୀ) : ମହିଳା ସ୍ନାତକ ମହାବିଦ୍ୟାଳୟ, କଣ୍ଟାବାଞ୍ଜିର ଶକ୍ତିଶ୍ରୀ କୋଷ ପକ୍ଷରୁ ୨୦୨୫–୨୬ ଶିକ୍ଷାବର୍ଷରେ ଆୟୋଜିତ ବିଭିନ୍ନ ଶକ୍ତିଶ୍ରୀ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନାରୀ ସଶକ୍ତିକରଣ, ସୁରକ୍ଷା, ଆଇନ ସଚେତନତା ଓ ଛାତ୍ରୀମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ସଭାପତିତ୍ୱ କରିଥିଲେ। ଶକ୍ତିଶ୍ରୀ କୋଷର ସଂଯୋଜିକା ଶ୍ରୀମତୀ ରଶ୍ମୀ ରମିତା ମେହେର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଶକ୍ତିଶ୍ରୀ କୋଷର ଉଦ୍ଦେଶ୍ୟ, କାର୍ଯ୍ୟକଳାପ ଓ ବର୍ଷତମାମ ଆୟୋଜିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ମୁକାନ୍ଦିଲାଲ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ସଂଜୀବନୀ ସୁଧା ରଥ ଯୋଗଦେଇଥିଲେ। ସେ ପିତୃକେନ୍ଦ୍ରିକ ସମାଜ ବ୍ୟବସ୍ଥାରେ ମହିଳାମାନେ ଐତିହାସିକ ଭାବେ ସମ୍ମୁଖୀନ ହୋଇଥିବା ସାମାଜିକ ଅସମାନତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିସହ ଆଧୁନିକ ସମାଜରେ ନାରୀଙ୍କ ସ୍ଥିତିରେ ଆସିଥିବା ପରିବର୍ତ୍ତନ ଏବଂ ଭାରତୀୟ ସମ୍ବିଧାନ ପ୍ରଦତ୍ତ ମହିଳାଙ୍କ ଅଧିକାର ଓ ସମାନତା ଉପରେ ଆଲୋକପାତ କରିଥିଲେ। ଶିକ୍ଷା, ଆତ୍ମନିର୍ଭରଶୀଳତା ଓ ଆଇନଗତ ସଚେତନତା ନାରୀ ସଶକ୍ତିକରଣର ମୁଖ୍ୟ ଆଧାର ବୋଲି ସେ କହିଥିଲେ। ମୁଖ୍ୟ ବକ୍ତା ଭାବେ କଣ୍ଟାବାଞ୍ଜି ଥାନାର ASI ଶ୍ରୀମତୀ ସନ୍ତୋଷିନୀ ସାହୁ ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରିଥିଲେ। ବିଶେଷକରି POCSO Act, POSH Act ଓ Anti-Ragging Law ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। କୌଣସି ପ୍ରକାର ଅନ୍ୟାୟ, ଉତ୍ପୀଡ଼ନ କିମ୍ବା ଆଇନ ଉଲ୍ଲଂଘନର ସମ୍ମୁଖୀନ ହେଲେ ଭୟଭୀତ ନହୋଇ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଆଇନ ରକ୍ଷାକାରୀ ସଂସ୍ଥାର ସହାୟତା ନେବାକୁ ସେ ପରାମର୍ଶ ଦେଇଥିଲେ।


ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ତାଙ୍କ ଅଭିଭାଷଣରେ ନାରୀ ସୁରକ୍ଷା ଓ ସଶକ୍ତିକରଣରେ ଶିକ୍ଷାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ଶିକ୍ଷା ଜଣେ ମହିଳାଙ୍କୁ ନିଜ ଅଧିକାର, କର୍ତ୍ତବ୍ୟ ଓ ଆଇନ ସମ୍ପର୍କରେ ସଚେତନ କରିବା ସହ ଆତ୍ମବିଶ୍ୱାସୀ ଓ ଆତ୍ମନିର୍ଭର କରିଥାଏ ବୋଲି ସେ କହିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିବାବେଳେ ବହୁ ସଂଖ୍ୟକ ଛାତ୍ରୀ ଯୋଗଦେଇଥିଲେ। ସଭାକୁ ଇଂରାଜୀ ଅଧ୍ୟାପକ ଶ୍ରୀ ସୋମନାଥ ମେହେର ପରିଚାଳନା କରିଥିଲେ। ଶେଷରେ ଶକ୍ତିଶ୍ରୀ ସହାୟିକା ଶ୍ରୀମତୀ ଅବନ୍ତିକା ଯଶବାଳ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ନାରୀ ସୁରକ୍ଷା, ଆଇନ ସଚେତନତା, ସମାନତା ଓ ନିଜ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଥିଲା।

Post a Comment

0 Comments