ଅସୁସ୍ଥ ବୃଦ୍ଧ ଗାଡ଼ିରୁ ଓହ୍ଲାଇ ପାରିନଥିବାରୁ ନିଜେ ଗାଡ଼ି ନିକଟକୁ ଯାଇ କର୍ତ୍ତବ୍ୟ ପାଳନ କଲେ
କଣ୍ଟାବାଞ୍ଜି (କୋଶଳ ପ୍ରହରୀ) : ୨୦୨୪ ମସିହାର ଏକ ମାମଲାର ଶୁଣାଣି ଅବସରରେ ଚଉଳସୁଖା ଗ୍ରାମର ପ୍ରମୋଦ ମହାନନ୍ଦ, ସୁକଦେବ ମହାନନ୍ଦ, ଯଦୁମଣି ମହାନନ୍ଦ ଓ ଲଇତା ମହାନନ୍ଦଙ୍କୁ ମାନ୍ୟବର JMFC କୋର୍ଟ, କଣ୍ଟାବାଞ୍ଜିରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା। ସମସ୍ତେ କୋର୍ଟଙ୍କ ସମ୍ମାନ ରକ୍ଷା କରି ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ବୟସ୍କ ଯଦୁମଣି ମହାନନ୍ଦ ଅସୁସ୍ଥ ଥିବାରୁ ଗାଡ଼ିରୁ ଓହ୍ଲାଇ କୋର୍ଟ ପରିସରକୁ ଆସିପାରିନଥିଲେ। ଏହି ବିଷୟ ଜାଣିବା ପରେ ମାନ୍ୟବର JMFC ଶ୍ରୀ ରାକେଶ ବେହେରା ମାନବିକତାର ପରିଚୟ ଦେଇ ନିଜେ ଗାଡ଼ି ନିକଟକୁ ଯାଇ ବୃଦ୍ଧଙ୍କ ସହ କଥାବାର୍ତ୍ତା କରି ଆବଶ୍ୟକ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରିଥିଲେ। ଜଣେ ନ୍ୟାୟିକ ଅଧିକାରୀଙ୍କ ଏଭଳି ସମ୍ବେଦନଶୀଳ ଓ ମାନବିକ ଆଭିମୁଖ୍ୟ ଉପସ୍ଥିତ ଲୋକଙ୍କ ପ୍ରଶଂସା ସାଉଁଟିଥିଲା। ନ୍ୟାୟ ସହିତ ମାନବିକତାର ଏହି ଦୃଷ୍ଟାନ୍ତ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ସରକାରୀ ଓକିଲ ଶ୍ରୀ ବିବେକ ଶର୍ମା ମଧ୍ୟ ଉପସ୍ଥିତ ରହି ଆବଶ୍ୟକ ସହଯୋଗ କରିଥିଲେ।

0 Comments