ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ସିନ୍ଧେକେଲା ଥାନା ଘେରାଓ

  • ସିନ୍ଧେକେଲା ଦୋକାନ ବଜାର ବନ୍ଦ କଲେ ବ୍ୟବସାୟୀ
  • ୧୫ ଦିନ ପରେ ମଧ୍ୟ ପୋଲିସ ର ହାତ ଖାଲି, ତେଜୁଛି ଅସନ୍ତୋଷ 


ବଙ୍ଗୋମୁଣ୍ଡା (କୋଶଳ ପ୍ରହରୀ) ମା’ର ଗହଣା ଚୋରି ହେଲା, ୧୫ ଦିନ ବିତିଗଲା,ସିନ୍ଧେକେଲା ପୁଲିସ ହାତ ଖାଲି ।ଏହାକୁ ନେଇ ଆଜି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ରେ ପ୍ରତିବାଦ କରାଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆଜି ସିନ୍ଧେକେଲା ଥାନା ଘେରାଓ କରାଯାଇଛି। ଶହ ଶହ ଆଦିବାସୀ ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ଡ଼କା ବଜାଇ ରାସ୍ତା କୁ ଓହ୍ଲାଇଲେ। ୧୫ ଦିନ ତଳେ ସିନ୍ଧେକେଲା ର ଅଧିଷ୍ଠାତ୍ରୀ ଦେବୀ ମା’ ଦୁଆରସନି ମନ୍ଦିର ରୁ ଚୋରି ହୋଇଥିଲା। ଚୋର ମାନେ ରାତି ଅଧ ରେ ମନ୍ଦିର ର ତାଲା ଭାଙ୍ଗି ମା’ଙ୍କ ସୁନା-ରୂପା ଗହଣା ଲୁଟି ନେଇଥିଲେ। ଏହି ମନ୍ଦିର କେବଳ ଏକ ମନ୍ଦିର ନୁହେଁ, ସିନ୍ଧେକେଲା ଅଞ୍ଚଳର ଆଦିବାସୀ ସମାଜର ଆସ୍ଥାର କେନ୍ଦ୍ର। ଘଟଣା ପରେ ପୁଲିସରେ ଅଭିଯୋଗ ହୋଇଥିଲା। କିନ୍ତୁ ୧୫ ଦିନ ବିତିଯିବା ପରେ ବି ପୁଲିସ ଚୋରଙ୍କୁ ଧରିପାରିଲା ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢିଥିଲା। ମଙ୍ଗଳବାର ଏହାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତାତିଲା। ସଂଘର ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇ ଓ କଣ୍ଟାବାଞ୍ଜି ଅଞ୍ଚଳ ର ଆଦିବାସୀ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ମନ୍ଦିର ପରିସରରୁ ଏକ ବିରାଟ ରାଲି ବାହାରିଥିଲା। ଶତାଧିକ ଆଦିବାସୀ ପୁରୁଷ-ମହିଳା ହାତରେ ଟାଙ୍ଗୀ, ତୀର-ଧନୁ ଭଳି ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି, ମାଦଳ ଓ ଢାପ ବଜାଇ ସହରର ମୁଖ୍ୟ ରାସ୍ତା ଦେଇ ସିନ୍ଧେକେଲା ଥାନା ଆଡକୁ ଆସିଥିଲେ। ରାଲି ଥାନାରେ ପହଞ୍ଚିବା ପରେ ଥାନା ଘେରାଓ କରାଯାଇଥିଲା ଏବଂ ପୁଲିସ ବିରୋଧରେ ନାରାବାଜି କରାଯାଇଥିଲା। ଅନ୍ୟପକ୍ଷରେ ଏହି ଆନ୍ଦୋଳନକୁ ସମର୍ଥନ କରି ସିନ୍ଧେକେଲା ବ୍ୟବସାୟୀ ସଂଘ ସମେତ ବିଭିନ୍ନ ସଂଗଠନ ସାମିଲ ହୋଇଥିଲେ। ଆଜି ସିନ୍ଧେକେଲା ଦୋକାନ ବଜାର ବନ୍ଦ ପାଳନ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଶୀଘ୍ର ଚୋରଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଇଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ବଲାଙ୍ଗୀର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ବହୁ ପୋଲିସ ସାମିଲ ହୋଇଥିଲେ । ଥାନା ସମ୍ମୁଖରେ ଗୋଟିଏ ପ୍ରକାର ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି ।

Post a Comment

0 Comments