
ଧର୍ମଗଡ, (କୋଶଳ ପ୍ରହରୀ) ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,ଭବନୀପାଟଣା ତରଫରୁ ଧର୍ମଗଡ଼ ପଞ୍ଚାୟତ କଲେଜ ଠାରେ "ଭାରତୀୟ ନ୍ୟାୟ ସଂହିତା" ଉପରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଦୁଇ ଦିବସୀୟ କର୍ମଶାଳା ଓ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଦିନରେ କ୍ଷେତ୍ର ଅଧିକାରୀ ଖଗେଶ ବାଇପାଇଙ୍କ ଅଧ୍ୟକ୍ଷତାରେ ଧର୍ମଗଡ଼ ଏସଡିପିଓ ଭର୍ଷିତା ଆଡେପୁ ମୂଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କର୍ମଶାଳା ଓ ସଚେତନତା ସମାବେଶକୁ ଉଦଘାଟନ କରିଥିଲେ । ବରିଷ୍ଠ ଓକିଲ ସଂଯୁକ୍ତା ପଣ୍ଡା ଅତିଥି ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଯୁବ ସଂଗଠକ ଅବିନାଶ ମୁଣ୍ଡ, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଭାପତି ବିରଜା ପ୍ରସାଦ ପଣ୍ଡା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟାପକ ଗଣପତି ବାଗ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅତିଥି ମାନେ "ଭାରତୀୟ ନ୍ୟାୟ ସଂହିତା" ଉପରେ ସମବେତ କର୍ମଶାଳା ଓ ସମାବେଶ କୁ ସଚେତନ କରିବା ସହ ଏହାର ବିଭିନ୍ନ ଆଇନ ସମ୍ବନ୍ଧୀୟ ଦିଗରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀ ଓ ସାଂସ୍କୃତିକ ଦଳକୁ "ଭାରତୀୟ ନ୍ଯାୟ ସଂହିତା" ସମ୍ବନ୍ଧୀୟ ଶ୍ଲୋଗାନ ଦେଇ ଏକ ସଚେତନତା ପଦଯାତ୍ରା ମାଧ୍ୟମରେ ଧର୍ମଗଡ଼ ସହର ପରିକ୍ରମା କରିଥିଲେ । ଏହି ଅବସରରେ ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ କୁଇଜ,ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହାକୁ ଖେଳ ପ୍ରଶିକ୍ଷକ ଅଭୟ କୁମାର ବାଗ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଦ୍ୱାରା ପ୍ରେରିତ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା "ଭାରତୀୟ ନ୍ୟାୟ ସଂହିତା" ଉପରେ ପର୍ଯ୍ୟବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ଅଧ୍ଯାପକ ଜଗନ୍ନାଥ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments