ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଘରେ ଘରେ ପହଞ୍ଚିଲା ଭତ୍ତା, ପ୍ରଶଂସା ସାଉଁଟିଲେ ଧୁମାଭଟା ସରପଞ୍ଚ


ବେଲପଡ଼ା (କୋଶଳ ପ୍ରହରୀ) : ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଧୁମାଭଟା ଗ୍ରାମ ପଞ୍ଚାୟତରେ ଏକ ଭିନ୍ନ ଧରଣର ପ୍ରୟାସ ଦେଖିବାକୁ ମିଳିଛି। ବର୍ଷା ଋତୁରେ ଘରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଭତ୍ତା ନେବାରେ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗମାନେ ହଇରାଣ ହେଉଥିବା ଦେଖି ଧୁମାଭଟା ସରପଞ୍ଚ ନିଜେ ଘରକୁ ଘର ଯାଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିବା ଜଣାପଡ଼ିଛି।

ଧୁମାଭଟା ଗ୍ରାମ ପଞ୍ଚାୟତରେ ବିଧବା, ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ପାଇଁ ମୋଟ ୫୭ ଜଣ ହିତାଧିକାରୀଙ୍କ ଭତ୍ତା ମଞ୍ଜୁର ହୋଇଥିବା ବେଳେ, ସରପଞ୍ଚ ଶ୍ରୀ ନାଏକ ଘରକୁ ଘର ଯାଇ ସେମାନଙ୍କୁ ଭତ୍ତା ପ୍ରଦାନ କରିଛନ୍ତି। ଏହାର ଫଳରେ ଭତ୍ତା ପାଇବା ପାଇଁ ବର୍ଷାରେ ବାହାରକୁ ଯିବାରୁ ହିତାଧିକାରୀମାନେ ମୁକ୍ତି ପାଇଛନ୍ତି।

ବର୍ଷା ମାସରେ ଗ୍ରାମାଞ୍ଚଳର ଲୋକେ ବିଭିନ୍ନ କାମରେ ବ୍ୟସ୍ତ ରହିବା ସହ ଯାତାୟାତରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ବିଶେଷକରି ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ କେବଳ ଭତ୍ତା ଖଣ୍ଡିଏ ପାଇଁ ଘରୁ ବାହାରି ଦୂରକୁ ଯିବା କଷ୍ଟକର ହୋଇଥାଏ। ଏଭଳି ସ୍ଥିତିକୁ ଅନୁଭବ କରି ସରପଞ୍ଚଙ୍କ ଏହି ପଦକ୍ଷେପ ମାନବିକତାର ଏକ ଉଦାହରଣ ବୋଲି ଅଞ୍ଚଳବାସୀ କହିଛନ୍ତି।

ସୋସିଆଲ ମିଡିଆରେ ମଧ୍ୟ ସରପଞ୍ଚଙ୍କ ଏହି ଘରକୁ ଘର ଭତ୍ତା ବଣ୍ଟନ ଉଦ୍ୟମର ଚିତ୍ର ସାମ୍ନାକୁ ଆସିବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଜନସାଧାରଣଙ୍କ ସମସ୍ୟାକୁ ନିକଟରୁ ବୁଝି ସରକାରୀ ସୁବିଧା ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବାର ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଅନୁକରଣୀୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

Post a Comment

0 Comments