ତୁଷୁରା (କୋଶଳ ପ୍ରହରୀ) ଓଏସପିଏସ ରୁଷୁଡ଼ା ଏବଂ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ସଦସ୍ୟ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସ୍କାଉଟ୍ସ ଓ ଗାଇଡ୍ସ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ପରିବେଶ ସୁରକ୍ଷା ଓ ସବୁଜିମା ବର୍ଦ୍ଧନ ଲକ୍ଷ୍ୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଫଳନ୍ତି ଓ ଛାୟାପ୍ରଦ ଚାରାରୋପଣ କରାଯାଇଥିଲା। ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।
ସ୍କୁଲର ଛୋଟ ଛୋଟ ଛାତ୍ରଛାତ୍ରୀ ଓ ସ୍କାଉଟ୍ସ ସଦସ୍ୟମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ନିଜ ହାତରେ ଗଛ ଲଗାଇ ତାହାର ଯତ୍ନ ନେବାକୁ ସଂକଳ୍ପ ନେଇଥିଲେ। ଗାୟତ୍ରୀ ପରିବାରର ପ୍ରତିନିଧିମାନେ ବୃକ୍ଷକୁ "ବୃକ୍ଷ ଗଙ୍ଗା ଅଭିଯାନ" ର ଏକ ଅଂଶ ଭାବେ ଅଭିହିତ କରି ବୃକ୍ଷରୋପଣର ମାହାତ୍ମ୍ୟ ବୁଝାଇଥିଲେ।ସନ୍ତୋଷ ସାହୁ ଓ ସୁଧାକର ପ୍ରଧାନ ବୃକ୍ଷ ପୂଜନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଗାୟତ୍ରୀ ପରିବାରର ମୁଖ୍ୟ ଟ୍ରଷ୍ଟି ଜଗଦୀଶ ପ୍ରସାଦ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୋହନ ସାମଲ, ସାଉଁରିଆ ଜୈନ, ରାଧା ରମଣ କେଡିଆ, ପ୍ରମୋଦ ସା ଓ ବିଶ୍ଵଲାଲ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ପ୍ରଧାନ ଶିକ୍ଷକ ଟୁକୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସୁନ୍ଦର ପ୍ରୟାସ ପାଇଁ ଅଞ୍ଚଳବାସୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଗାୟତ୍ରୀ ପରିବାର ଏବଂ ଓଏସପିଏସ ରୁଷୁଡ଼ାର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି।

0 Comments