ଧର୍ମଗଡ଼ (କୋଶଳ ପ୍ରହରୀ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ସ୍ଥ ଉପର ଇନ୍ଦ୍ରାବତୀ ବାମ କେନାଲ ଡିଭିଜନ–୧ ଅଧୀନରେ ଥିବା ବଡ଼ଘୁମର ଅଞ୍ଚଳରେ ଚାଲିଥିବା କେନାଲ ସଫେଇ ଓ ମରାମତି କାର୍ଯ୍ୟକୁ ନେଇ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କୌଣସି ସୂଚନା ଫଳକ ଲଗାଯାଇନଥିବା ବେଳେ ସରକାରୀ ଏଷ୍ଟିମେଣ୍ଟ ଓ ଆବଶ୍ୟକ ଅନୁମୋଦନ ବିନା କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳୁଛି। ଅଭିଯୋଗ ରହିଛି ଯେ, କେନାଲରୁ ବାହାର କରାଯାଉଥିବା ପଙ୍କ ଓ ମାଟିକୁ ନିୟମ ଅନୁଯାୟୀ ଅନ୍ୟତ୍ର ସ୍ଥାନାନ୍ତର କରିବା ପରିବର୍ତ୍ତେ କେନାଲ ଧାରରେ ଗଦା କରି ରଖାଯାଉଛି। ସାମାନ୍ୟ ବର୍ଷା ହେଲେ ସେହି ମାଟି ପୁଣି କେନାଲ ଭିତରକୁ ଧୋଇ ଯାଉଥିବାରୁ ସଫେଇ କାମର ଉଦ୍ଦେଶ୍ୟ ବିଫଳ ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି। ଏହା ସହିତ କେବଳ କାଗଜପତ୍ରରେ କାମ ଦେଖାଇ ସରକାରୀ ଅର୍ଥର ଅପବ୍ୟବହାର ହେଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି।
ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଭଗବାନ ମାଝୀଙ୍କ ପ୍ରତିକ୍ରିୟା ନିଆଯାଇଥିବାବେଳେ, ସେ ଏଷ୍ଟିମେଣ୍ଟ ପ୍ରସ୍ତୁତ ହୋଇନଥିବା କଥା କହିଥିବା ସହ ଠିକାଦାର ନିଜ ଆଡ଼ୁ କାମ କରୁଥିବା ଉଲ୍ଲେଖ କରିଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ମହଳରେ ପ୍ରଶ୍ନ ଉଠିଛି ଯେ, ସରକାରୀ ଅନୁମୋଦନ ବିନା ଜଣେ ଠିକାଦାର କିପରି କାର୍ଯ୍ୟ ଆରମ୍ଭ କଲେ। ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ସ୍ଥିତି ସ୍ପଷ୍ଟ କରିବା ସହ, ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

0 Comments