ରାସ୍ତା ଉପରେ ବହୁଛି ପ୍ରବଳ ସ୍ରୋତ, ଯାତାୟାତ ଠପ୍; ଦୁର୍ଭୋଗରେ ହଜାର ହଜାର ଲୋକ
ସିନ୍ଧେକେଲା (ଦିନେଶ ଜୈନ / କୋଶଳ ପ୍ରହରୀ): ଲଗାଣ ବର୍ଷା ଯୋଗୁଁ ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲା–ସାଲେବରଟ ସଂଯୋଗକାରୀ ପ୍ରମୁଖ ରାସ୍ତା ଗୁରୁବାର ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ରାସ୍ତା ଉପରେ ବର୍ଷାଜଳର ପ୍ରବଳ ସ୍ରୋତ ବହୁଥିବାରୁ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିଛି। ଫଳରେ ସାଲେବରଟ ସମେତ ଆଖପାଖ ଅଞ୍ଚଳର ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବୁଧବାର ସକାଳଠାରୁ ଅନେକ ଲୋକ ରାସ୍ତା ନିକଟରେ ଏକାଠି ହୋଇ ପରିସ୍ଥିତି ଦେଖୁଥିବା ବେଳେ ପ୍ରବଳ ସ୍ରୋତ ଯୋଗୁଁ କେହି ରାସ୍ତା ପାର ହେବାକୁ ସାହସ କରିନଥିଲେ। ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବାରେ ବାଧା ସୃଷ୍ଟି ହୋଇଥିବା ବେଳେ ରୋଗୀ, ଚାଷୀ ଓ ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜରୁରୀ କାମରେ ଯାଉଥିବା ଲୋକଙ୍କୁ ବିକଳ୍ପ ରାସ୍ତା ଧରି ଅଧିକ ଦୂରତା ଅତିକ୍ରମ କରିବାକୁ ପଡ଼ୁଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏବର୍ଷ ବର୍ଷା ଋତୁରେ ଏହି ସମସ୍ୟା ପ୍ରଥମ ଥର ଦେଖାଦେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦିଗରେ କୌଣସି ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଏହାଫଳରେ ସିନ୍ଧେକେଲା–ସାଲେବରଟ ରାସ୍ତା ଯାତାୟାତ ପାଇଁ ଅନୁପଯୋଗୀ ହୋଇପଡ଼ୁଛି ଏବଂ ଅଞ୍ଚଳବାସୀଙ୍କ ଦୁର୍ଭୋଗ ବଢ଼ିଚାଲିଛି। ଅନ୍ୟପକ୍ଷରେ, ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ଗୁରୁତର ହେବାର ଆଶଙ୍କା ପ୍ରକାଶ ପାଇଛି। ବିପଦପୂର୍ଣ୍ଣ ସ୍ଥାନରେ ଅନାବଶ୍ୟକ ଭିଡ଼ ନ କରିବା ଏବଂ ପ୍ରବଳ ସ୍ରୋତ ମଧ୍ୟରେ ରାସ୍ତା ପାର ନ କରିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ରାସ୍ତାର ଶୀଘ୍ର ସ୍ଥାୟୀ ମରାମତି ସହ ଯାତାୟାତ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

0 Comments