ସମ୍ବଲପୁର, (କୋଶଳ ପ୍ରହରୀ) : Story4Change ଏବଂ Commutiny – The Youth Collectiveର ମିଳିତ ସହଯୋଗରେ ପରିଚାଳିତ 'ସମଝୋ ତୋ' – A Youth Leadership Programme ଅଧୀନରେ ପ୍ରଥମ ମହଲ୍ଲା ସଭା ଗୋବିନ୍ଦତୋଳା କମ୍ୟୁନିଟି ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା। "ଜାତି ଆଧାରିତ ସଂରକ୍ଷଣ – ଏବେ ମଧ୍ୟ ଆବଶ୍ୟକ କି?" ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସଂଳାପରେ ୧୬୦ରୁ ଅଧିକ ଯୁବକ-ଯୁବତୀ, ସମାଜସେବୀ, ମହିଳା ଗୋଷ୍ଠୀର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସୁବର୍ଣ୍ଣା ରାଣୀ ନାଏକ, ଧର୍ମେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ ଧରେଇ, ଅଜୟ ଓରାମ, କୁନି ହାତୀ, ସେବତୀ ବାଞ୍ଛୋର, ସାଗରିକା ବେହେରା, ରାଜା ରାମ ପାଢ଼ୀ, ଗୋବିନ୍ଦତୋଳା ପ୍ରଗତି ଶିଶୁ ସୁରକ୍ଷା କମିଟିର ସଦସ୍ୟବୃନ୍ଦ ଓ ଆଶା କର୍ମୀମାନେ ଉପସ୍ଥିତ ରହିଥିଲେ।
ସଭାରେ ଜାତି ଆଧାରିତ ସଂରକ୍ଷଣର ଐତିହାସିକ ପୃଷ୍ଠଭୂମି, ସାମାଜିକ ନ୍ୟାୟ, ସମାନ ସୁଯୋଗ, ସଂବିଧାନିକ ମୂଲ୍ୟବୋଧ ଏବଂ ବର୍ତ୍ତମାନ ସମୟରେ ଏହାର ପ୍ରାସଙ୍ଗିକତା ଉପରେ ଖୋଲା ଓ ଗଠନମୂଳକ ଆଲୋଚନା ହୋଇଥିଲା। ଅଂଶଗ୍ରହଣକାରୀମାନେ ପରସ୍ପରର ମତକୁ ସମ୍ମାନ ଜଣାଇ ନିଜ ନିଜ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମର Overall Coordinator ମାସୁଦ ଆଲମ ଥିବାବେଳେ Story4Changeର Director–Program ସୂର୍ଯ୍ୟ ନାରାୟଣ ଦାଶ ଯୁବମାନଙ୍କୁ ସଂବିଧାନିକ ମୂଲ୍ୟବୋଧ, ସହାନୁଭୂତି, ଗଣତାନ୍ତ୍ରିକ ସଂଳାପ ଏବଂ ସକ୍ରିୟ ନାଗରିକତାର ଗୁରୁତ୍ୱ ସମ୍ପର୍କରେ ପ୍ରେରଣାଦାୟକ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ରଶ୍ମିତା କାଲେତ, ଅଞ୍ଜଳି ଭୁଇଁଆ, ବବିତା ଭୋଇଙ୍କ ସହ 'ସମଝୋ ତୋ' ର ଯୁବ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।
ବକ୍ତାମାନେ କହିଥିଲେ ଯେ, 'ସମଝୋ ତୋ' ର ମହଲ୍ଲା ସଭା ଯୁବମାନଙ୍କ ମଧ୍ୟରେ ସଂଳାପ, ପରସ୍ପର ବୁଝାପଡ଼ା, ସହାନୁଭୂତି ଏବଂ ସଂବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବାର ଏକ ପ୍ରଭାବଶାଳୀ ମଞ୍ଚ। ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଏଭଳି ମହଲ୍ଲା ସଭା ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି।


0 Comments