ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

୬ ବର୍ଷର ଅବହେଳା; କାଦୁଅରେ ବୁଡ଼ିଲା ପାଇକପଡା ରାସ୍ତା, ନାକେଦମ ଗ୍ରାମବାସୀ

ପ୍ରଶାସନର ନିଦ ଭାଙ୍ଗୁନି; ଶୀଘ୍ର ମରାମତି ନହେଲେ ଆନ୍ଦୋଳନ ଚେତାବନୀ

ଧର୍ମଗଡ଼, (କୋଶଳ ପ୍ରହରୀ): ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପାଇକପଡା ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରାୟ ଛଅ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଏହି ରାସ୍ତାର ଆଜି ପର୍ଯ୍ୟନ୍ତ କୌଣସି ମରାମତି କରାଯାଇନଥିବାରୁ ବର୍ଷା ଦିନରେ ଏହା ସମ୍ପୂର୍ଣ୍ଣ କାଦୁଅମୟ ହୋଇପଡ଼ିଛି। ଫଳରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ରୋଗୀ, ଚାଷୀ ଏବଂ ସାଧାରଣ ଲୋକେ ପ୍ରତିଦିନ ଘୋର ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରଶାସନର ଉଦାସୀନତାରେ ଅତିଷ୍ଠ ହୋଇ ସେମାନେ ନିଜସ୍ୱ ଉଦ୍ୟମରେ ରାସ୍ତାର ଖାଲଖମାରେ ମାଟି ପକାଇ ଯାତାୟାତ ଯୋଗ୍ୟ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଚଳିତ ବର୍ଷାରେ ସେହି ମାଟି ଧୋଇଯିବାରୁ ରାସ୍ତାର ଅବସ୍ଥା ଆହୁରି ଭୟଙ୍କର ହୋଇପଡ଼ିଛି। ବର୍ତ୍ତମାନ ଗାଡ଼ି ଚଳାଚଳ ପ୍ରାୟ ଅସମ୍ଭବ ହୋଇଥିବା ବେଳେ ପାଦଚାରୀଙ୍କ ପାଇଁ ମଧ୍ୟ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଏହି ସମସ୍ୟା ପ୍ରତି କୌଣସି ଗୁରୁତ୍ୱ ଦେଉନାହାନ୍ତି। ତୁରନ୍ତ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ନହେଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି।

ଗ୍ରାମବାସୀଙ୍କ ଦାବି, ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଶୀଘ୍ର ରାସ୍ତାର ସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ କରନ୍ତୁ, ଯାହାଦ୍ୱାରା ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦୁର୍ଭୋଗର ଅନ୍ତ ଘଟିବ।


Post a Comment

0 Comments