ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

କଣ୍ଟାବାଞ୍ଜି ହସ୍ପିଟାଲ ସମସ୍ୟାକୁ ନେଇ ଓଜେସିର ଦିବାରାତ୍ରି ଅନଶନ, ୮ ଦଫା ଦାବି ପୂରଣ ନେଇ ସରକାରଙ୍କୁ ଚେତାବନୀ


କଣ୍ଟାବାଞ୍ଜି (କୋଶଳ ପ୍ରହରୀ) : କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘଦିନ ଧରି ଲାଗି ରହିଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ସୋମବାର ହସ୍ପିଟାଲ ପରିସରରେ ଅନିର୍ଦ୍ଦିଷ୍ଟକାଳୀନ ଦିବାରାତ୍ରି ଅନଶନ ଆରମ୍ଭ କରାଯାଇଛି। “ଓଡ଼ିଶା ପାଇଁ ଓଡ଼ିଶା” ସ୍ଲୋଗାନ୍‌କୁ ଆଧାର କରି ଆୟୋଜିତ ଏହି ଆନ୍ଦୋଳନରେ ଦଳୀୟ କର୍ମୀ, ସମାଜସେବୀ ଓ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଆନ୍ଦୋଳନକାରୀମାନେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ହସ୍ପିଟାଲରେ ଉନ୍ନତ କରିବା, ଏମ୍‌ସିଏଚ୍‌ରେ ଶୀଘ୍ର ସି-ସେକ୍ସନ୍ ସେବା ଆରମ୍ଭ, ନିୟମିତ ପରିଷ୍କାର-ପରିଚ୍ଛନ୍ନତା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ରକ୍ତଭଣ୍ଡାରର ମରାମତି ଓ ଆଧୁନିକୀକରଣ, ରୋଗୀ ପରିବହନ ପାଇଁ ସ୍ୱତନ୍ତ୍ର ଗାଡ଼ି, ରୋଗୀ କଲ୍ୟାଣ ସମିତିକୁ ସକ୍ରିୟ କରିବା ଏବଂ ଔଷଧ ବିତରଣ କେନ୍ଦ୍ରକୁ ୨୪ ଘଣ୍ଟା ଖୋଲା ରଖିବା ସହ ୮ ଦଫା ଦାବି ଉପସ୍ଥାପନ କରିଛନ୍ତି। ଓଜେସିର ଜିଲ୍ଲା ସଭାପତି ରୁପେଶ ବେହେରା କହିଛନ୍ତି ଯେ, କଣ୍ଟାବାଞ୍ଜି ଅଞ୍ଚଳର ଲୋକମାନେ ଦୀର୍ଘଦିନ ଧରି ଉନ୍ନତ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ରହିଛନ୍ତି। ସରକାର ଶୀଘ୍ର ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ଅନଶନରେ ଯୁବ ନେତା ଅରୁଣ କୁମାର ତାଣ୍ଡି, ରାଜ୍ୟ ସମ୍ପାଦକ ବିକାଶ ବେହେରାଙ୍କ ସମେତ ଦଳର ବହୁ ପଦାଧିକାରୀ, କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ଓଜେସି ପକ୍ଷରୁ କୁହାଯାଇଛି ଯେ, କଣ୍ଟାବାଞ୍ଜି ହସ୍ପିଟାଲର ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଦିବାରାତ୍ରି ଅନଶନ ଜାରି ରହିବ।

Post a Comment

0 Comments