ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଭୀମଭୋଇ ମେଡିକାଲ କଲେଜକୁ ବଡ଼ ଉପହାର, ସୁପର ସ୍ପେଶିଆଲିଟି ବିଭାଗ ପାଇଁ ମଞ୍ଜୁର ହେଲା ପଦବୀ

ରାଜ୍ୟରେ ୧୫୨ ସୁପର ସ୍ପେଶିଆଲିଟି ପଦ ଅନୁମୋଦନ; ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ହୃଦରୋଗ, ସ୍ନାୟୁରୋଗ, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ ଓ ବୃକକ ଚିକିତ୍ସା ବିଭାଗ ହେବ ଅଧିକ ସୁଦୃଢ଼


ବଲାଙ୍ଗୀର (କୋଶଲ ପ୍ରହରୀ): ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ ଓ ଉନ୍ନତ କରିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ବଡ଼ ପଦକ୍ଷେପ ନେଇଛି। ବିଭିନ୍ନ ସରକାରୀ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବିଭାଗ ପାଇଁ ମୋଟ ୧୫୨ଟି ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ସିନିୟର ରେସିଡେଣ୍ଟ ପଦବୀ ଅନୁମୋଦନ କରାଯାଇଛି।

ଏହି ଅନୁମୋଦନ ଅନୁଯାୟୀ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବଲାଙ୍ଗୀରରେ ହୃତପିଣ୍ଡ ବିଜ୍ଞାନ (କାର୍ଡିଓଲୋଜି), ସ୍ନାୟୁ ବିଜ୍ଞାନ (ନ୍ୟୁରୋଲୋଜି), ସ୍ନାୟୁ ଶଲ୍ୟଚିକିତ୍ସା (ନ୍ୟୁରୋ ସର୍ଜରୀ), ପ୍ଲାଷ୍ଟିକ ସର୍ଜରୀ ଓ ବୃକକ ଚିକିତ୍ସା (ନେଫ୍ରୋଲୋଜି) ବିଭାଗ ପାଇଁ ଆବଶ୍ୟକ ଶିକ୍ଷକ ଓ ସିନିୟର ରେସିଡେଣ୍ଟ ପଦ ସୃଷ୍ଟି କରାଯାଇଛି। ଏହା ଫଳରେ ପଶ୍ଚିମ ଓଡ଼ିଶାର ରୋଗୀମାନେ ଉନ୍ନତ ସୁପର ସ୍ପେଶିଆଲିଟି ସ୍ୱାସ୍ଥ୍ୟସେବା ପାଇବାରେ ବିଶେଷ ସୁବିଧା ପାଇବେ। ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟର ସ୍ୱାସ୍ଥ୍ୟ ସେବାର ଗୁଣବତ୍ତା ନିରନ୍ତର ବୃଦ୍ଧି ପାଉଛି। ସରକାର ସମସ୍ତଙ୍କୁ ଉନ୍ନତ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପ୍ରତିବଦ୍ଧ ରହିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ମାନବ ସମ୍ବଳ ବୃଦ୍ଧି ପାଇବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆହୁରି ମଜବୁତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫,୧୯୭ ଜଣ ମେଡିକାଲ ଅଫିସର ଓ ପାରାମେଡିକ୍ସ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ସେହିପରି ୫,୯୮୯ ନର୍ସିଙ୍ଗ ଅଫିସର, ୨୪୦ ରେଡିଓଗ୍ରାଫର, ୧,୧୦୮ ଫାର୍ମାସିଷ୍ଟ, ୨୩୮ ଅପଥାଲମିକ ଅଧିକାରୀ ଏବଂ ୩୮୦ ମେଡିକାଲ ଲ୍ୟାବ ଟେକ୍ନିସିଆନ ପଦବୀ ପାଇଁ ମଧ୍ୟ ଅନୁମୋଦନ ମିଳିଛି। ଏହା ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

Post a Comment

0 Comments