କାକଟପୁର, (କୋଶଳ ପ୍ରହରୀ) : ପୁରୀ ଜିଲ୍ଲା କାକଟପୁର ବ୍ଲକର ରାଇସ ପାଟପୁର ଗ୍ରାମ ପାଇଁ ଆସିଛି ଗର୍ବର ଖବର। ଗ୍ରାମର କୃତୀ ସନ୍ତାନ ତରୁଣ କୁମାର ପାଢ଼ୀଙ୍କୁ ନବୀକରଣଯୋଗ୍ୟ ଶକ୍ତି ଓ ସ୍ଥାୟୀ ଭିତ୍ତିଭୂମି (Renewable Energy & Sustainable Infrastructure) କ୍ଷେତ୍ରରେ ଦୀର୍ଘଦିନର ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର CEDARBROOK University ପକ୍ଷରୁ ସମ୍ମାନସୂଚକ "ଡକ୍ଟର ଅଫ୍ ଫିଲୋସଫି (Honoris Causa)" ଉପାଧିରେ ସମ୍ମାନିତ କରାଯାଇଛି। ସ୍ୱର୍ଗତ ଧନେଶ୍ୱର ପାଢ଼ୀଙ୍କ ସୁପୁତ୍ର ତରୁଣ କୁମାର ପାଢ଼ୀ ବର୍ତ୍ତମାନ "Datta Power Infra Pvt. Ltd." ରେ ସିନିୟର ଭାଇସ୍ ପ୍ରେସିଡେଣ୍ଟ (ଅପରେସନ୍ସ) ଭାବେ କାର୍ଯ୍ୟରତ। ସୌର ଶକ୍ତି, ୱିଣ୍ଡ୍ ଏନର୍ଜି, ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (BESS), ବିଦ୍ୟୁତ ସଞ୍ଚାର ଏବଂ ସବ୍ଷ୍ଟେସନ୍ ପ୍ରକଳ୍ପ କ୍ଷେତ୍ରରେ ସେ ଦୁଇ ଦଶକରୁ ଅଧିକ ସମୟ ଧରି ଦେଶ ଓ ବିଦେଶରେ ସଫଳତାର ସହ କାର୍ଯ୍ୟ କରିଆସୁଛନ୍ତି।
ତାଙ୍କ ପିତା ସ୍ୱର୍ଗତ ଧନେଶ୍ୱର ପାଢ଼ୀ ଓଥକା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଏବଂ ଜଣେ ସୁପରିଚିତ ଜନନେତା ଥିଲେ। ପୁଅଙ୍କ ଏହି ଅନ୍ତର୍ଜାତୀୟ ସଫଳତା କାକଟପୁର ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛି। ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ସମ୍ମାନ ଲାଭ ପରେ ଶ୍ରୀ ପାଢ଼ୀ କହିଛନ୍ତି, ଏହି ସ୍ୱୀକୃତି ତାଙ୍କୁ ଦେଶର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଆହୁରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଛି। ସେ ଏହି ସମ୍ମାନକୁ ନିଜ ପରିବାର, ଗୁରୁଜନ, ସହକର୍ମୀ ଏବଂ ଶୁଭେଚ୍ଛୁମାନଙ୍କୁ ଉତ୍ସର୍ଗ କରିଛନ୍ତି। ତରୁଣ କୁମାର ପାଢ଼ୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଏବଂ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

0 Comments