ତୁରେକେଲା (କୋଶଳ ପ୍ରହରୀ) ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ପଞ୍ଚାୟତର ଦାବ୍ରୀ ମୁଣ୍ଡାପଡ଼ାରୁ ହିଆଲ ଅନବେଷ୍ଟା ହଷ୍ଟେଲକୁ ସଂଯୋଗ କରୁଥିବା ପିଚୁ ରାସ୍ତା ପାର୍ଶ୍ୱରେ ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯିବାରୁ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଥିଲା। ଏହି ରାସ୍ତା ଦେଇ ଅନବେଷ୍ଟା ହଷ୍ଟେଲର ଛାତ୍ରଛାତ୍ରୀଙ୍କ ବସ୍ ସହ ଲକ୍ଷ୍ମୀ ବସ୍ ନିୟମିତ ଚଳାଚଳ କରୁଥିବାରୁ ଯେକୌଣସି ସମୟରେ ବଡ଼ ଅଘଟଣ ଘଟିବାର ଆଶଙ୍କା ସୃଷ୍ଟି ହୋଇଥିଲା।
ଏହି ଗୁରୁତର ସମସ୍ୟାକୁ ନେଇ ଜୟ ମାଁ ଦୁଆରଶନୀ ୟୁଥ୍ କ୍ଲବ୍ର ସଭାପତି ତଥା ସମାଜସେବୀ ରାଜୁ ଛତ୍ରିଆ ଗ୍ରାମ୍ୟ ଉନ୍ନୟନ (RD) ବିଭାଗର ଏସଡିଓ ପ୍ରଦୀପ କୁମାର ଲାଲଙ୍କୁ ଅବଗତ କରାଇଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ପରଦିନ ଆରଡି ବିଭାଗର କର୍ମଚାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଥିଲେ। ପରିଦର୍ଶନ ବେଳେ ହିଆଲ ପଞ୍ଚାୟତ ସମିତି ସଭ୍ୟ ନବୀନ ଭୋଇ, ରାଜୁ ଛତ୍ରିଆ ଏବଂ ଲାଇବ୍ରେରିଆନ୍ ଦୁଃଖନାଶନ ମଲ୍ଲିକ ଉପସ୍ଥିତ ଥିଲେ।
ବିଭାଗର ତ୍ୱରିତ ପଦକ୍ଷେପ ଫଳରେ ରାସ୍ତା ପାର୍ଶ୍ୱର ଧସିଥିବା ସ୍ଥାନରେ ମୁରୁମ ମାଟି ପକାଯାଇ ଅସ୍ଥାୟୀ ଭାବେ ବିପଦକୁ ହ୍ରାସ କରାଯାଇଛି। ତେବେ ଗାର୍ଡ ୱାଲ୍ ଭାଙ୍ଗିଯାଇଥିବାରୁ ମୁରୁମ ସ୍ଥିର ରହିପାରୁ ନାହିଁ। ଏହି ସମସ୍ୟା ପୁନର୍ବାର ଏସଡିଓଙ୍କ ଦୃଷ୍ଟିକୁ ଆଣିବା ପରେ ସେ ଖୁବଶୀଘ୍ର ଗାର୍ଡ ୱାଲ୍ର ସ୍ଥାୟୀ ମରାମତି କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ପାଇଁ ରାଜୁ ଛତ୍ରିଆଙ୍କ ନିରନ୍ତର ଉଦ୍ୟମ ଏବଂ ଆରଡି ବିଭାଗର ତତ୍ପରତାକୁ ଦାବ୍ରୀ ଗ୍ରାମବାସୀ, ମୁଣ୍ଡାପଡ଼ା ବାସିନ୍ଦା ଓ ଜୟ ମାଁ ଦୁଆରଶନୀ ୟୁଥ୍ କ୍ଲବ୍ ପକ୍ଷରୁ ପ୍ରଶଂସା କରାଯାଇଥିବା ସହ ଏସଡିଓ ପ୍ରଦୀପ କୁମାର ଲାଲଙ୍କୁ କୃତଜ୍ଞତା ଜଣାଯାଇଛି।

0 Comments