ବେଲପଡ଼ା, ୩୦/୭ (କୋଶଳ ପ୍ରହରୀ) : ନୂଆ ପୋଷାକ ପାଇ ଖୁସିରେ ଝଲସି ଉଠିଲା ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିବେଶ। ରାଜ୍ୟ ସରକାରଙ୍କ ମାଗଣା ବିଦ୍ୟାଳୟ ପୋଷାକ ଯୋଜନା ଅନୁସାରେ ବିଦ୍ୟାଳୟର ୨୨୧ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ସେଟ୍ ଲେଖାଏଁ ପୋଷାକ ବଣ୍ଟନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ଘନଶ୍ୟାମ ବେହେରାଙ୍କ ତତ୍ତ୍ୱାବଧାନରେ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ପଦ୍ମିନୀ ବାଘ ଓ ଉପ-ସଭାପତି ଶ୍ରୀ ଦେବରାଜ ପୁଟେଲଙ୍କ ଉପସ୍ଥିତିରେ ବଣ୍ଟନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଉପସ୍ଥିତି ତାଲିକା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଡାକି ପୋଷାକ ପ୍ରଦାନ କରାଯିବା ସହ ପ୍ରାପ୍ତି ରସିଦ ସଂଗ୍ରହ କରାଯାଇଥିଲା।
ଏହି ଅବସରରେ କମିଟିର ସଦସ୍ୟ ତୁଲାରାମ ମାଝୀ, ସରୋଜିନୀ ମହାନନ୍ଦ, ରୀନା ବାଗ, ପୁତୁନା ମାଝୀ, ପ୍ରେମଶିଲା ପୁଟେଲ, ଧନେଶ୍ୱର ବାଗ, ହରି ବାଗ, ନରେନ୍ଦ୍ର ପୁଟେଲ, ହେମନ୍ତ ମାଝୀ ଓ ଜୟବଲ ନାଗ ପ୍ରମୁଖ ଉପସ୍ଥିତ ରହି ସ୍ୱଚ୍ଛତାର ସହ ବଣ୍ଟନ ପ୍ରକ୍ରିୟା ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବେହେରା କହିଥିଲେ, ଏହି ଯୋଜନା ଆର୍ଥିକ ଭାବେ ଦୁର୍ବଳ ପରିବାର ପାଇଁ ବଡ଼ ସହାୟକ ହୋଇଛି ଏବଂ ଏହା ଛାତ୍ରଛାତ୍ରୀଙ୍କ ନିୟମିତ ବିଦ୍ୟାଳୟ ଉପସ୍ଥିତିକୁ ପ୍ରୋତ୍ସାହିତ କରିବ। ସଭାପତି ଶ୍ରୀମତୀ ପଦ୍ମିନୀ ବାଘ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରି କହିଥିଲେ ଯେ, କୌଣସି ପ୍ରକାର ପକ୍ଷପାତ ବିନା ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ଭାବେ ପୋଷାକ ବଣ୍ଟନ କରାଯାଇଛି। ମାଗଣା ପୋଷାକ ପାଇ ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସିର ହସ ଦେଖିବାକୁ ମିଳିଥିବା ବେଳେ ଅଭିଭାବକମାନେ ମଧ୍ୟ ସରକାରଙ୍କ ଏହି ଜନକଲ୍ୟାଣମୂଳକ ଯୋଜନାକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ।

0 Comments