କାକଟପୁର (କୋଶଳ ପ୍ରହରୀ) କାକଟପୁର କୋଣାର୍କ ମୁଖ୍ୟ ରାସ୍ତାର କୁଣ୍ଢେଇ ହାଟ ଛକ ନିକଟରେ ଲୁହା ରଡ୍ ଦେଖାଇ ଭୟଭୀତ କରି ଦାଦାବଟି ମାଗୁଥିବା ଓ ଆତଙ୍କ ରଚାଉଥିବା ୨ ଜଣ ଦୁର୍ବୃତ୍ତଙ୍କୁ କାକଟପୁର ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣନଗର ପାଟଣା ଗ୍ରାମର ସୁଧୀର କୁଣ୍ଡ (୩୦) ଓ ଦହିଖିଆ ଗ୍ରାମର ବିଭୁ ପ୍ରସାଦ ପରିଡ଼ା (୨୫)। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ କାକଟପୁର ଥାନା ଏଏସଆଇ ଜୟନ୍ତୀ ସାହୁ, କନଷ୍ଟେବଳ ବାବ୍ରୁବାହନ ମହାନ୍ତି ଓ ହୋମଗାର୍ଡ ହୃଦାନନ୍ଦ ମିଶ୍ରଙ୍କ ସହ ନାଇଟ୍ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ କୁଣ୍ଢେଇ ହାଟ ଛକ ନିକଟରେ ୩ ଜଣ ଯୁବକ ଲୁହା ରଡ୍ ଦେଖାଇ ସ୍ଥାନୀୟ ବ୍ୟବସାୟୀ, ଦୋକାନୀ ଓ ରାସ୍ତାରେ ଯାଉଥିବା ଗାଡ଼ି ଚାଳକମାନଙ୍କୁ ଆକ୍ରମଣର ଭୟ ଦେଖାଇ ବାଧ୍ୟତାମୂଳକ ଭାବେ ଦାଦାବଟି ଆଦାୟ କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା।ଦୁର୍ବୃତ୍ତଙ୍କ ଆତଙ୍କ ଏତେ ପରିମାଣରେ ଥିଲା ଯେ ଭୟରେ ଦୋକାନୀମାନେ ଦୋକାନ ବନ୍ଦ କରିଦେଇଥିଲେ ଏବଂ ମହିଳା ଓ ଶିଶୁମାନେ ଘର ଭିତରୁ ବାହାରି ନଥିଲେ। ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଗାଡ଼ି ଦେଖି ଦୁର୍ବୃତ୍ତମାନେ ଖସିଯିବାକୁ ଚେଷ୍ଟା କରିବା ସହ ପୋଲିସ କର୍ମଚାରୀଙ୍କୁ ଅଶଭ୍ୟ ଭାଷାରେ ଗାଳିଗୁଲଜ କରି ଲୁହା ରଡ୍ରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ପୋଲିସ ଗୋଡ଼ାଇ ଗୋଡ଼ାଇ ୨ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲା ଏବଂ ଜଣେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲା। ପୋଲିସ ଗିରଫ ଦୁର୍ବୃତ୍ତଙ୍କ ନିକଟରୁ ୨ଟି ଲୁହା ରଡ୍, ଗୋଟିଏ ବ୍ଲୁ-ବ୍ଲାକ୍ ୟାମାହା ଏଫ୍ଜେଡ୍ ବାଇକ୍ (OD 05 AQ 4410) ଏବଂ ଗୋଟିଏ ଲାଲ୍ ରଙ୍ଗର ହୋଣ୍ଡା ଏସପି ସାଇନ୍ ବାଇକ୍ (OD 13 R 5724) ଜବତ କରିଛି। ଏ ନେଇ କାକଟପୁର ଥାନାରେ କେସ୍ ନଂ-୨୭୫ (ତା ୩୧.୦୭.୨୦୨୬), BNS ର ଧାରା 296/308(4)/308(5)/3(5) ଅନୁଯାୟୀ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।

0 Comments