କଣ୍ଟାବାଞ୍ଜି (କୋଶଳ ପ୍ରହରୀ): ଏଡ୍ସକୁ ନେଇ ଥିବା ଭ୍ରାନ୍ତ ଧାରଣା ଦୂର କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଣ୍ଟାବାଞ୍ଜି ମହିଳା ଡିଗ୍ରୀ କଲେଜର ଯୁବ ରେଡ୍ କ୍ରସ୍ (YRC) ପକ୍ଷରୁ ମଙ୍ଗଳବାର ଏକ ବ୍ୟାପକ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ କଲେଜରୁ ବାହାରିଥିବା ସଚେତନତା ରାଲି ସହର ପରିକ୍ରମା କରିବା ସହ ଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ଦେଇଥିଲେ। ସଚେତନତା ସଭାରେ YRC ସଂଯୋଜିକା ତଥା PET ଶ୍ରୀମତୀ ରଞ୍ଜୁ ବାଞ୍ଚୋର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କଲେଜର ଅଧ୍ୟକ୍ଷ ତଥା ସମ୍ପାଦକ ଶ୍ରୀ ରାଜେନ୍ଦ୍ର ପୁରୋହିତ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଏଡ୍ସ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ହେମନ୍ତ କୁମାର ଦାସ ମୁଖ୍ୟ ଅତିଥି ଏବଂ ଏଡ୍ସ ସୁପର୍ଭାଇଜର ଶ୍ରୀ ଜିତେନ୍ଦ୍ର ବିଶ୍ୱାଳ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଦାସ ଏଡ୍ସର ଅର୍ଥ, ପ୍ରକୃତି, ସଂକ୍ରମଣର କାରଣ, କୁପରିଣାମ ଓ ଏଥିରୁ ନିଜକୁ ସୁରକ୍ଷିତ ରଖିବାର ବିଭିନ୍ନ ଉପାୟ ସମ୍ପର୍କରେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ୨୦୩୦ ସୁଦ୍ଧା ଏଡ୍ସ ନିରାକରଣ ଲକ୍ଷ୍ୟ ହାସଲ ପାଇଁ ସମାଜର ପ୍ରତ୍ୟେକ ବର୍ଗର ସହଯୋଗ, ସଚେତନତା ଓ ସମୂହିକ ପ୍ରୟାସ ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ କଲେଜ ଅଧ୍ୟକ୍ଷ ଶ୍ରୀ ପୁରୋହିତ ଛାତ୍ରୀମାନଙ୍କୁ ଏଡ୍ସ ନିରାକରଣ ନିମନ୍ତେ ଶପଥ ପାଠ କରାଇଥିଲେ। ନିଜେ ସଚେତନ ହେବା ସହ ନିଜ ପରିବାର, ବନ୍ଧୁବାନ୍ଧବ ଓ ସମାଜର ଅନ୍ୟମାନଙ୍କୁ ଏଡ୍ସ ସମ୍ପର୍କରେ ସଚେତନ କରିବାକୁ ସେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ପୂର୍ବରୁ କଲେଜର ଛାତ୍ରୀ, YRC ସଦସ୍ୟା ଓ NSS ସଦସ୍ୟାମାନେ ଏକ ସଚେତନତା ରାଲିରେ ସାମିଲ ହୋଇଥିଲେ। ରାଲିଟି କଲେଜ ପରିସରରୁ ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଛାତ୍ରୀମାନେ ଏଡ୍ସ ପ୍ରତିରୋଧ, ସଚେତନତା ଓ ଭେଦଭାବ ଦୂରୀକରଣ ସମ୍ପର୍କିତ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଇଂରାଜୀ ଅଧ୍ୟାପକ ତଥା IQAC ଅଧ୍ୟକ୍ଷ ଶ୍ରୀ ସୋମନାଥ ମେହେର ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ଅଂଶୀଦାରଙ୍କୁ କୃତଜ୍ଞତା ଜଣାଇଥିଲେ। କଲେଜର ଅଧ୍ୟାପକ-ଅଧ୍ୟାପିକା ଓ ସମସ୍ତ ଛାତ୍ରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
0 Comments