ସ୍ଥାନୀୟ ରୋଜଗାର ସୃଷ୍ଟି ଉପରେ ବଲାଙ୍ଗୀର ପ୍ରଶାସନର ଗୁରୁତ୍ୱ
ବଲାଙ୍ଗୀର (କୋଶଳ ପ୍ରହରୀ): ଦାଦନ ଚାଲାଣ ରୋକିବା ସହ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ନିଶ୍ଚିତ କରିବାକୁ ଏବେ ଅଧିକ ସକ୍ରିୟ ହେବ ବଲାଙ୍ଗୀର ଜିଲ୍ଲା ପ୍ରଶାସନ। ଏନେଇ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ବସିଥିଲା।ଦାଦନ ପ୍ରବଣ ଅଞ୍ଚଳରେ ରୋଜଗାର ସୁଯୋଗ ବଢ଼ାଇବାଠାରୁ ଆରମ୍ଭ କରି ରେଳଷ୍ଟେସନରେ ଯାଞ୍ଚ କଡ଼ାକଡ଼ି କରିବା ପର୍ଯ୍ୟନ୍ତ ଏକାଧିକ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ଦାଦନ ପ୍ରବଣ ଅଞ୍ଚଳରୁ ଶ୍ରମିକଙ୍କ ବେଆଇନ ଚାଲାଣ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ୱାରା ନିୟମିତ ଯାଞ୍ଚ କରାଯିବ। ଆଇନ ଉଲ୍ଲଂଘନ କରି ଶ୍ରମିକ ଚାଲାଣ କରୁଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ବୈଠକରେ ଗୁରୁତ୍ୱ ଦିଆଯାଇଛି। ବଲାଙ୍ଗୀର, କଣ୍ଟାବାଞ୍ଜି, ମୁରିବାହାଲ, ଟିଟିଲାଗଡ଼ ଓ ହରିଶଙ୍କର ରୋଡ୍ ରେଳଷ୍ଟେସନ ଉପରେ ବିଶେଷ ନଜର ରହିବ। ଷ୍ଟେସନ ମ୍ୟାନେଜର, ଜିଆରପି ଓ ଆରପିଏଫ୍ ସହ ସମନ୍ୱୟ ରଖି ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯିବ।
ଏହାଦ୍ୱାରା ଶ୍ରମିକମାନଙ୍କୁ ପ୍ରଲୋଭନ ଦେଖାଇ କିମ୍ବା ବେଆଇନ ଭାବେ ଅନ୍ୟ ରାଜ୍ୟକୁ ନେବା ଘଟଣା ଉପରେ ରୋକ ଲଗାଇବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ତେବେ କେବଳ ଯାଞ୍ଚ କିମ୍ବା ଆଇନଗତ ପଦକ୍ଷେପ ନୁହେଁ, ଦାଦନ ସମସ୍ୟାର ମୂଳ କାରଣ ଦୂର କରିବା ଉପରେ ମଧ୍ୟ ପ୍ରଶାସନ ଗୁରୁତ୍ୱ ଦେଇଛି। ଦାଦନ ପ୍ରବଣ ଅଞ୍ଚଳରେ ସରକାରୀ ଯୋଜନା ମାଧ୍ୟମରେ ଅଧିକ କାମ ସୃଷ୍ଟି କରି ଲୋକଙ୍କୁ ନିଜ ଅଞ୍ଚଳରେ ରୋଜଗାର ଯୋଗାଇବାକୁ ବିଭାଗଗୁଡ଼ିକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୃଷି, ଗୋପାଳନ ଓ ମତ୍ସ୍ୟଚାଷ ଭଳି କ୍ଷେତ୍ରରେ ସରକାରୀ ସହାୟତା ଓ ପ୍ରୋତ୍ସାହନ ଦେଇ ଜୀବିକା ସୁଯୋଗ ବଢ଼ାଇବା ନେଇ ମଧ୍ୟ ଆଲୋଚନା ହୋଇଛି। ପ୍ରବାସୀ ଶ୍ରମିକଙ୍କ ସ୍ୱେଚ୍ଛାକୃତ ପଞ୍ଜୀକରଣକୁ ଗ୍ରାମପଞ୍ଚାୟତସ୍ତରରେ ତ୍ୱରାନ୍ୱିତ କରିବା ସହ ଶ୍ରମିକଙ୍କୁ ସରକାରୀ ଯୋଜନା, ଆଇନଗତ ଅଧିକାର ଓ ଉପଲବ୍ଧ ସୁବିଧା ସମ୍ପର୍କରେ ସଚେତନ କରାଯିବ। ଏଥିସହ ଶିଶୁ ଶ୍ରମିକ ପ୍ରଥା ରୋକିବା ପାଇଁ ଆଇନର କଡ଼ାକଡ଼ି କାର୍ଯ୍ୟକାରିତା ଉପରେ ମଧ୍ୟ ଜୋର ଦିଆଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ-ନିର୍ବାହୀ ଅଧିକାରୀ ତରଣୀ ସୁନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୃତ କୁମାର ପଣ୍ଡା, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସମେତ ବିଭିନ୍ନ ବ୍ଲକର ବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


0 Comments