ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ପେଣ୍ଡରାବନ୍ଦରେ ବିଶ୍ୱ ଆଦିବାସୀ ଦିବସ ପାଳିତ, ପାରମ୍ପରିକ ବେଶଭୂଷା ଓ ଶୋଭାଯାତ୍ରାରେ ଝଲସିଲା ଆଦିବାସୀ ସଂସ୍କୃତି World Indigenous Peoples Day celebrated


ନୂଆପଡ଼ା (କୋଶଳ ପ୍ରହରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ୍ଦ ପଞ୍ଚାୟତ ଖେଳ ପଡ଼ିଆରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି। ଆଦିବାସୀ ସମାଜର ଗୌରବମୟ ଇତିହାସ, ପରମ୍ପରା, ସଂସ୍କୃତି ଓ ଅଧିକାରକୁ ସମ୍ମାନ ଦେବା ସହ ଏକତା, ସ୍ୱାଭିମାନ ଓ ଭାଇଚାରାର ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଇଥିଲା। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଘାସୀରାମ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ ଆଦିବାସୀ ସମାଜର ଇଷ୍ଟଦେବାଦେବୀଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜାର୍ଚ୍ଚନା ପରେ ଆୟୋଜକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା। ପାରମ୍ପରିକ ଆଦିବାସୀ ବେଶଭୂଷାରେ ସଜ୍ଜିତ ହୋଇ ଶତାଧିକ ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ନୃତ୍ୟ ଓ ସାଂସ୍କୃତିକ ପରିବେଷଣରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଆଦିବାସୀଙ୍କ ପାରମ୍ପରିକ ପୋଷାକ, ନୃତ୍ୟ, ସଙ୍ଗୀତ ଓ ବାଦ୍ୟଯନ୍ତ୍ର ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଶୋଭାଯାତ୍ରାଟି ପେଣ୍ଡରାବନ୍ଦ ଗ୍ରାମ ପରିକ୍ରମା କରିବା ପରେ ସ୍ଥାନୀୟ ମଞ୍ଚ ନିକଟରେ ପହଞ୍ଚିଥିଲା। ଏଠାରେ ଆୟୋଜିତ ସଭାରେ ଆଦିବାସୀ ସମାଜର ଗୌରବମୟ ଇତିହାସ, ଜଳ-ଜଙ୍ଗଲ-ଜମିର ସୁରକ୍ଷା, ଶିକ୍ଷାର ପ୍ରସାର, ସାମାଜିକ ଏକତା ସହ ନିଜ ଭାଷା, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ସଭାପତି ଘାସୀରାମ ମାଝୀ, ମୁଖ୍ୟ ବକ୍ତା ସୋମନାଥ ଖମାରୀ ଏବଂ ସମ୍ମାନିତ ଅତିଥି ଭାବେ ଚିତ୍ତରଞ୍ଜନ ବନଗୋଲା ଯୋଗଦେଇଥିଲେ। ମଞ୍ଚ ପରିଚାଳନା କରୁଣା ଶଙ୍କର ମାଝୀ ଓ ପ୍ରଶାନ୍ତ କୁମାର ମାଝୀ କରିଥିଲେ। ଏହାସହ କୋମନା ବ୍ଲକ ସଭାପତି ଭଗତରାମ ଶବର, ଖଡ଼ିଆଳ ବ୍ଲକ ସଭାପତି ବିହାରୀ ମାଝୀ, ବୋଡେ଼ନ ବ୍ଲକ ସଭାପତି ମଝିଆ ମାଝୀ, ସିନାପାଲି ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ମାଝୀ, ନୂଆପଡ଼ା ବ୍ଲକ ସଭାପତି ହରି ମାଝୀ, ଗଣ୍ଡ ସମାଜ ଜିଲ୍ଲା ସଭାପତି ଦିବ୍ୟସିଂ ମାଝୀ, ଛାତ୍ର ସଂଘ ସଭାପତି ହରିଶ ଚନ୍ଦ୍ର ମାଝୀ, ପେଣ୍ଡରାବନ୍ଦ ସରପଞ୍ଚ ଗୋପାଳ ସିଂ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଆଦିବାସୀ ସମାଜର କର୍ମକର୍ତ୍ତା ଓ ଶତାଧିକ ଲୋକ ଉପସ୍ଥିତ ଥିଲେ। ବକ୍ତାମାନେ କହିଥିଲେ, “ଆଦିବାସୀ ସଂସ୍କୃତି ହେଉଛି ଆମ ମାଟିର ପରିଚୟ ଏବଂ ଆମ ପରମ୍ପରା ହେଉଛି ଆମର ଗର୍ବ।”ତେଣୁ ନିଜ ଭାଷା, ସଂସ୍କୃତି, ପରମ୍ପରା ଓ ଅଧିକାରର ସୁରକ୍ଷା ସହ ଆଗାମୀ ପିଢ଼ିକୁ ନିଜ ଐତିହ୍ୟ ସମ୍ପର୍କରେ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଆଦିବାସୀ ସମାଜର ଏକତା, ସ୍ୱାଭିମାନ ଓ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ ଆଗକୁ ବଢ଼ିବାକୁ ଆହ୍ୱାନ ଦିଆଯାଇଥିଲା। ପାରମ୍ପରିକ ବେଶଭୂଷା, ନୃତ୍ୟ, ବାଦ୍ୟ ଓ ଶୋଭାଯାତ୍ରା ମାଧ୍ୟମରେ ପେଣ୍ଡରାବନ୍ଦରେ ଆଦିବାସୀ ସଂସ୍କୃତିର ଏକ ଭବ୍ୟ ଚିତ୍ର ଦେଖିବାକୁ ମିଳିଥିଲା।

Post a Comment

0 Comments