ନୂଆପଡ଼ା (କୋଶଳ ପ୍ରହରୀ) : ନିର୍ମାଣାଧୀନ ସେତୁ କାର୍ଯ୍ୟସ୍ଥଳ ନିକଟରେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର ହେବା ଘଟଣା ସିନାପାଲି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ଦ୍ୱୟ ହେଲେ ସିନାପାଲି ଥାନା ଅଧୀନ ଚାଚରାଭଟା ଗାଁର ଦଇତାରୀ ତାଣ୍ଡି ଓ ଭାରତ ତାଣ୍ଡି। ଦୁହେଁ ସମ୍ପର୍କରେ ଦାଦା-ପୁତୁରା ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଶ୍ରମିକ ତୁଳସୀ ବାଗର୍ଷୀ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଧୀନ ବୋଲଧା ଅଞ୍ଚଳରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କାମରେ ନିୟୋଜିତ ଅନେକ ଶ୍ରମିକ ନିକଟସ୍ଥ ଏକ ଅସ୍ଥାୟୀ ଶ୍ରମିକ ଶିବିରରେ ରହୁଥିଲେ। ଶୁକ୍ରବାର ରାତିରେ ଖାଇସାରି ଶ୍ରମିକମାନେ ଶୋଇଥିବା ବେଳେ ତିନିଜଣଙ୍କୁ ବିଷାକ୍ତ ସାପ କାମୁଡ଼ିଥିବା ଜଣାପଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ଅନ୍ୟ ଶ୍ରମିକମାନେ ତୁରନ୍ତ ତିନିଜଣଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଦଇତାରୀ ତାଣ୍ଡି ଓ ଭାରତ ତାଣ୍ଡିଙ୍କୁ ମୃତ ଘୋଷଣା କରିଥିଲେ। ତୁଳସୀ ବାଗର୍ଷୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣା ପରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ରହଣି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ବିଶେଷକରି ବର୍ଷା ଋତୁରେ ଶ୍ରମିକମାନଙ୍କ ପାଇଁ ଠିକାଦାରଙ୍କ ପକ୍ଷରୁ ସୁରକ୍ଷିତ ରହଣି ବ୍ୟବସ୍ଥା କରାଯାଇଥିଲା କି ନାହିଁ, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ଶ୍ରମିକ ଶିବିର, ସୁରକ୍ଷିତ ଶୋଇବା ବ୍ୟବସ୍ଥା, ମଶାରି ସହ ବିଷାକ୍ତ ସାପ ଓ ଅନ୍ୟ ବିପଦଜନକ ସରୀସୃପରୁ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା କି ନାହିଁ, ସେସବୁ ଦିଗରେ ତଦନ୍ତର ଆବଶ୍ୟକତା ରହିଛି। ଏହି ଘଟଣାକୁ ନେଇ ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ କମଳ ଚରଣ ତାଣ୍ଡି ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛନ୍ତି। ନିର୍ମାଣ କାମ ଆରମ୍ଭ ପୂର୍ବରୁ ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ରହଣି, ଶୋଇବା ବ୍ୟବସ୍ଥା ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା କି ନାହିଁ, ସେ ନେଇ ସ୍ପଷ୍ଟତା ଦାବି କରିଛନ୍ତି। ଦୁଇ ଶ୍ରମିକଙ୍କ ମୃତ୍ୟୁରେ ପରିବାର ଲୋକେ ଗଭୀର ଦୁଃଖରେ ଥିବା ବେଳେ ଘଟଣାଟି ନିର୍ମାଣସ୍ଥଳରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନଚିହ୍ନ ଲଗାଇଛି। ଘଟଣାର ନିରପେକ୍ଷ ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ଉଚିତ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


0 Comments