ବେଲପଡ଼ା (କୋଶଳ ପ୍ରହରୀ) : ବଲାଙ୍ଗୀର–କଣ୍ଟାବାଞ୍ଜିକୁ ସଂଯୋଗ କରୁଥିବା ୪୨ ନମ୍ବର ରାଜ୍ୟ ରାଜପଥରେ ଜଳବନ୍ଦୀ ସମସ୍ୟା ନେଇ ବୁଧବାର ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଜଳ ନିଷ୍କାସନ ଓ ରାସ୍ତା ମରାମତି କାମ ଆରମ୍ଭ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ବେଲପଡ଼ା ସହରର ଏହି ମୁଖ୍ୟ ସଡ଼କରେ ଦୀର୍ଘଦିନ ଧରି ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ୩ରୁ ୪ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହୁଛି। ଫଳରେ ଯାତାୟାତ ବ୍ୟାହତ ହେବା ସହ ସାଧାରଣ ଲୋକ ଅନେକ ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି। ଗତ ସପ୍ତାହର ଲଗାଣ ବର୍ଷା ସମୟରେ ଜଣେ ବାଇକ୍ ଚାଳକ ପାଣି ସ୍ରୋତରେ ଭାସିଯିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ପାଣି ସ୍ରୋତରେ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇଥିବାରୁ ଯାନବାହନ ଚଳାଚଳରେ ମଧ୍ୟ ସମସ୍ୟା ଦେଖାଦେଇଛି। କୋଶଳ ସଂଗ୍ରାମୀ ତଥା ସମାଜସେବୀ ଜିତୁ ନାଏକଙ୍କ ପ୍ରୟାସରେ ବିଡିଓ ରାଜେଶ ମେହେର, ଜେଇ ରମାକାନ୍ତ ବେହେରା ଓ ଅତିରିକ୍ତ ତହସିଲଦାର ଅମିତ କୁମାର ଦ୍ୱିବେଦୀ ଘଟଣାସ୍ଥଳରେ ପହଞ୍ଚି ପାଣି ଓ କାଦୁଅ ମଧ୍ୟକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ। ସମସ୍ୟାର ଗୁରୁତ୍ୱକୁ ବିଚାର କରି ଦୁଇ ଦିନ ମଧ୍ୟରେ କାମ ଆରମ୍ଭ କରିବାକୁ ଅଧିକାରୀମାନେ ଆଶ୍ୱାସନ ଦେଇଛନ୍ତି। ଏହି ଅବସରରେ କୋଶଳ ସଂଗ୍ରାମୀ ଜିତୁ ନାଏକ, ଚତ୍ରୁ ବୁଡେକ, ସ୍ଥାନୀୟ ସରପଞ୍ଚ ମାଟୁ ମେହେରଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ଏପରିକି, ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟ ଆରମ୍ଭ ନହେଲେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଜିତୁ ନାଏକ ଚେତାବନୀ ଦେଇଛନ୍ତି।

0 Comments