କଣ୍ଟାବାଞ୍ଜି (କୋଶଳ ପ୍ରହରୀ) : ସ୍ୱର୍ଗତ ଡାକ୍ତର ନେକିରାମ ଅଗ୍ରୱାଲଙ୍କ ସ୍ମୃତିରେ କଣ୍ଟାବାଞ୍ଜି ପ୍ରେସ କ୍ଲବ, ମାରୱାଡି ୟୁବା ମଞ୍ଚ (ବିକାଶ ଶାଖା) ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ସ୍ଥାନୀୟ ହରିଭବନଠାରେ ଏକ ନିଶୁଳ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଏଭଳି ଜନହିତକର ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ବରିୟାମ ସିଂହ ସାଲୁଜା, ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ, ମାରୱାଡି ୟୁବା ମଞ୍ଚ (ବିକାଶ ଶାଖା)ର ସମ୍ପାଦକ ଅଭିଷେକ ଅଗ୍ରୱାଲ, ଡାକ୍ତର ନେକିରାମ ଅଗ୍ରୱାଲଙ୍କ ପରିବାର ସଦସ୍ୟ ତଥା ପ୍ରେସ କ୍ଲବର ପରାମର୍ଶଦାତା ଆଶିଷ ଖଇତାନ ଏବଂ ଏସସିଡି ଚକ୍ଷୁ ଚିକିତ୍ସାଳୟର ଡାକ୍ତର ପରେଶ ରଞ୍ଜନ ସାଗର ମଞ୍ଚାସୀନ ଥିଲେ। ଏହି ଶିବିରରେ ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ସମେତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ନିଶୁଳ୍କ ଚକ୍ଷୁ ପରୀକ୍ଷା କରାଇଥିଲେ। ଏଥିସହ ଆଧୁନିକ କମ୍ପ୍ୟୁଟରାଇଜ୍ଡ ଆଖି ପରୀକ୍ଷାର ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା। ପରୀକ୍ଷା ସମୟରେ ୮୦ ଜଣଙ୍କଠାରେ ମୋତିଆବିନ୍ଦୁ ଚିହ୍ନଟ ହୋଇଥିବାବେଳେ ସେମାନଙ୍କର ନିଶୁଳ୍କ ଅସ୍ତ୍ରୋପଚାର କରାଯିବ ବୋଲି ଆୟୋଜକମାନେ ସୂଚନା ଦେଇଥିଲେ। ଏହାସହ ପ୍ରାୟ ୧୦୦ ଜଣ ହିତାଧିକାରୀଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ପ୍ରେସ କ୍ଲବର କୋଷାଧ୍ୟକ୍ଷ ହନି ସିଂହ ମାଖିଜା କରିଥିଲେ। ଶିବିର ପରିଚାଳନାରେ ପ୍ରେସ କ୍ଲବର ଉପସଭାପତି ମନୋଜ ଶର୍ମା, ଅଫିସ ସମ୍ପାଦକ ବିଶିକେଶନ ମାଝି, ସଦସ୍ୟ ଜଗମୋହନ ତାଣ୍ଡି, ପ୍ରତୀକ ଦାସ, ଦେବେଶ ସିଙ୍ଗଲ ଏବଂ ମାରୱାଡି ୟୁବା ମଞ୍ଚ (ବିକାଶ ଶାଖା)ର ନିଖିଲ ଅଗ୍ରୱାଲ, ନବନୀତ ଅଗ୍ରୱାଲ, ଆଜାଦ ବଂଶଲ, ମୟଙ୍କ ଜୈନ, ରାଜେଶ ଅଗ୍ରୱାଲ, ଆନନ୍ଦ ମୋଟେ, ଦୀପକ ଜୈନ, ଅଗ୍ରୱାଲ ସଭା ଟ୍ରଷ୍ଟର ସଭାପତି ଅଶୋକ ଛାପଡ଼ିଆ, ସମ୍ପାଦକ ଲଳିତ ଅଗ୍ରୱାଲ ଏବଂ ସ୍ୱେଚ୍ଛାସେବୀ ପ୍ରମୋଦ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶିବିରକୁ ସାଧାରଣ ଲୋକଙ୍କ ପକ୍ଷରୁ ବ୍ୟାପକ ସମର୍ଥନ ମିଳିଥିବାବେଳେ ଆୟୋଜକମାନେ ଭବିଷ୍ୟତରେ ମଧ୍ୟ ଏଭଳି ଜନସେବାମୂଳକ କାର୍ଯ୍ୟକ୍ରମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

0 Comments