୩୦୦ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ
୧୦ରୁ ଅଧିକ ଡାକ୍ତର ଯୋଗଦେଲେ, ବିଭିନ୍ନ ମହଲରେ ପ୍ରଶଂସା
ସିନ୍ଧେକେଲା (କୋଶଳ ପ୍ରହରୀ) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ସଦରସ୍ଥିତ ତେରାପନ୍ଥ ଭବନ ପରିସରରେ ଶ୍ରୀ ଜୈନ ଶ୍ୱେତାମ୍ବର ତେରାପନ୍ଥୀ ସଭା, ବଙ୍ଗୋମୁଣ୍ଡା ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ବିଭାଗର ୧୦ରୁ ଅଧିକ ଡାକ୍ତର ଯୋଗଦେଇ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିଲେ। ତେରାପନ୍ଥ ସଭା ବଙ୍ଗୋମୁଣ୍ଡାର ସଭାପତି ସୁଶୀଲ କୁମାର ଜୈନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ସିଡିଏମଓ ଡଃ ପୁଷ୍ପାଞ୍ଜଳି ମିଶ୍ର ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଡିଓ ନିତୁଶ୍ରୀ ମେହେର, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ, ଡଃ ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟ ଏବଂ ଓଡ଼ିଶା ସଭା ମନ୍ତ୍ରୀ ତଥା ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ ପ୍ରମୁଖ ଯୋଗଦେଇଥିଲେ। ସଭା ସମ୍ପାଦକ ବିକାଶ ଜୈନ ସଭାକୁ ପରିଚାଳନା କରିଥିଲେ।
ଶିବିରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡଃ ପ୍ରଜ୍ଞାପରିମିତା କଲସାଇ, ଡଃ ଭବାନୀଶଙ୍କର ମହାନ୍ତି, ଅସ୍ଥିଶଲ୍ୟ ବିଶେଷଜ୍ଞ ଡଃ ହେମନ୍ତ କୁମାର ବାମିଡ଼ି, ମେଡିସିନ ବିଶେଷଜ୍ଞ ଡଃ ଶାନ୍ତନୁ କୁମାର ରାଉତ, ଦନ୍ତ ସର୍ଜନ ଡଃ ସଚ୍ଚିଦାନନ୍ଦ ମେହେର, ଆଖି ବିଶେଷଜ୍ଞ ଆଶିଷ କୁମାର ବିଶ୍ୱାଳ, ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଇନ୍ଚାର୍ଜ ଡଃ ଜୟନ୍ତ କୁମାର ବାଗ, ବଙ୍ଗୋମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଇନ୍ଚାର୍ଜ ପ୍ରାଣବନ୍ଧୁ ଜଗଦଲା, ଡଃ ସନ୍ଦୀପ କୁମାର ଜେନା, ଡଃ ଅମୀର ମେହେର, ଡଃ ଜିଜ୍ଞାସା ବେହେରା, ଡଃ ପ୍ରିୟଦର୍ଶିନୀ ସାହୁଙ୍କ ସମେତ ବହୁ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀମାନଙ୍କ ଚିକିତ୍ସା କରିଥିଲେ। ଏହି ଶିବିରରେ ମୁରିବାହାଲ, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକ ଅଞ୍ଚଳରୁ ଆସିଥିବା ୩୦୦ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ରୋଗୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ମାଗଣାରେ ଔଷଧ ବଣ୍ଟନ କରାଯିବା ସହ ଆଖି ପରୀକ୍ଷା କରାଯାଇ ଆବଶ୍ୟକ ରୋଗୀଙ୍କୁ ଚଷମା ମଧ୍ୟ ପ୍ରଦାନ କରାଯାଇଥିଲା।
ଶିବିରର ସଫଳ ଆୟୋଜନରେ ମୋହିତ ଜୈନ, ଗଣେଶ ପ୍ରସାଦ ଜୈନ, ଚନ୍ଦ୍ର ପ୍ରକାଶ ଜୈନ, ଅଶୋକ କୁମାର ଜୈନ, ରୁପେଶ କୁମାର ଜୈନ, ମୁକେଶ ଜୈନ, ନିଖିଳ ଜୈନ, ପବନ ଜୈନ, ସାହିଲ ଜୈନ, ଗୌତମ ଜୈନ ଓ ସଂଗମ ଜୈନଙ୍କ ସମେତ ତେରାପନ୍ଥ ସଭା, ବଙ୍ଗୋମୁଣ୍ଡାର ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ। ଅଞ୍ଚଳର ଲୋକଙ୍କୁ ଏକ ସ୍ଥାନରେ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟସେବା, ଔଷଧ ଓ ଚଷମା ପ୍ରଦାନ କରାଯାଇଥିବାରୁ ତେରାପନ୍ଥ ସଭା, ବଙ୍ଗୋମୁଣ୍ଡାର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

0 Comments