ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ନୁନହାଡ଼ରେ ହାତୀ ଆତଙ୍କର କରୁଣ ପରିଣତି: ଦନ୍ତା ହାତୀ ଆକ୍ରମଣରେ ଚାଷୀ ମୃତ


ବେଲପଡ଼ା (କୋଶଳ ପ୍ରହରୀ) : ଭୋରୁ ଭୋରୁ କ୍ଷେତକୁ ଯାଇଥିବା ଜଣେ ଚାଷୀଙ୍କ ପାଇଁ କାଳ ହେଲା ଦନ୍ତା ହାତୀ। ଶୌଚ ପାଇଁ ନିଜ କ୍ଷେତକୁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ବେଲପଡ଼ା ଥାନା ଅନ୍ତର୍ଗତ ନୁନହାଡ଼ ଗାଁରେ ଘଟିଥିବା ଏହି ଘଟଣା ପରେ ସାରା ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି। ମୃତକ ହେଲେ ନୁନହାଡ଼ ଗାଁର ଚାଷୀ ଧର୍ମୁ ନାଏକ। ସୂଚନା ଅନୁସାରେ, ଆଜି ସକାଳେ ଧର୍ମୁ ଶୌଚ ପାଇଁ ନିଜ କ୍ଷେତକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଏକ ଦନ୍ତା ହାତୀ ତାଙ୍କ ସମ୍ମୁଖରେ ପହଞ୍ଚି ଆକ୍ରମଣ କରିଥିଲା। ହାତୀର ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଧର୍ମୁଙ୍କୁ ଉଦ୍ଧାର କରି ବେଲପଡ଼ା ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଚିକିତ୍ସା ପୂର୍ବରୁ ହିଁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ଡାକ୍ତର ପରୀକ୍ଷା କରି ଧର୍ମୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ନୁନହାଡ଼ ଗାଁରେ ଶୋକର ବାତାବରଣ ସୃଷ୍ଟି କରିଛି। ଏପଟେ ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଘଟୁଥିବା ସତ୍ତ୍ୱେ ବନ ବିଭାଗ ପକ୍ଷରୁ ହାତୀଙ୍କ ଗତିବିଧି ଉପରେ ଠିକ୍‌ ଭାବେ ନଜର ରଖାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହାତୀ ଚଳପ୍ରଚଳ ସମ୍ପର୍କରେ ସମୟୋଚିତ ସୂଚନା ଓ ସଚେତନତା ଅଭାବରୁ ଏଭଳି ଅଘଟଣ ଘଟୁଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏହି ମର୍ମନ୍ତୁଦ ଘଟଣା ପରେ ବନ ବିଭାଗ ପକ୍ଷରୁ ହାତୀକୁ ନେଇ କି ପଦକ୍ଷେପ ନିଆଯାଉଛି ଏବଂ ମୃତକଙ୍କ ପରିବାରକୁ କିଭଳି ସହାୟତା ମିଳିବ, ତାହାକୁ ନେଇ ଗ୍ରାମବାସୀଙ୍କ ନଜର ରହିଛି।

Post a Comment

0 Comments