କଣ୍ଟାବାଞ୍ଜି (କୋଶଳ ପ୍ରହରୀ) : ଆସନ୍ତା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ପାଞ୍ଚଦିନିଆ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞକୁ ସଫଳ କରିବା ପାଇଁ ଭାଗବତ ନାମ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ହରିଭାବନଠାରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହାଯଜ୍ଞର ସମସ୍ତ ପ୍ରସ୍ତୁତି, ପରିଚାଳନା ଓ ଦାୟିତ୍ୱ ବଣ୍ଟନକୁ ନେଇ ବିସ୍ତୃତ ଆଲୋଚନା ସହ ଏକ ସଶକ୍ତ ଆୟୋଜନ କମିଟି ଗଠନ କରାଯାଇଛି।
ମହାମଣ୍ଡଳେଶ୍ୱର ମହନ୍ତ ସଚ୍ଚିଦାନନ୍ଦ ଶାସ୍ତ୍ରୀ ମହାରାଜ ଏବଂ ମୁନି ଭୂପେନ୍ଦ୍ରଙ୍କ ମାର୍ଗଦର୍ଶନରେ ଆୟୋଜିତ ହେବାକୁ ଥିବା ଏହି ମହାଯଜ୍ଞରେ ଦେଶର ବିଭିନ୍ନ ପ୍ରାନ୍ତରୁ ସନ୍ଥ, ମହନ୍ତ ଓ ମୁନିମାନଙ୍କ ସମାଗମ ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ଯୋଗଦାନ ହେବାର ଆଶା କରାଯାଉଛି।
ବୈଠକରେ କଣ୍ଟାବାଞ୍ଜି ବିଧାୟକ ଓ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କୁ ସର୍ବସମ୍ମତିକ୍ରମେ ଆୟୋଜନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ସେହିପରି ଅଶୋକ ଛାପାଡିଆଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ, ପ୍ରଦୀପ ନାରାୟଣ ଖଣ୍ଡେଲୱାଲ ଓ ବିଜୟ ଶର୍ମାଙ୍କୁ ଉପାଧ୍ୟକ୍ଷ, ବିନୋଦ ଝାରୱାଲିଆଙ୍କୁ ସମ୍ପାଦକ, ରୂପେଶ ଅଗ୍ରୱାଲ ଲାଥୋରିଆଙ୍କୁ କୋଷାଧ୍ୟକ୍ଷ ଏବଂ ସାମ୍ବାଦିକ ସଙ୍ଘ ସଭାପତି ମୋହନ ସୋନି, ପ୍ରେସ କ୍ଲବ ସଭାପତି ପ୍ରଭାଜିତ ସିଂ ସାଲୁଜା (ଛୋଟୁ) ଓ ବଙ୍ଗୋମୁଣ୍ଡା ସାମ୍ବାଦିକ ସଙ୍ଘ ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କୁ ମିଡିଆ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି।
ଏହି ବୈଠକରେ ନଗରପାଳ ବରିୟାମ ସିଂ ସାଲୁଜା, ଲଲିତ ଅଗ୍ରୱାଲ, ସାଂସଦ ପ୍ରତିନିଧି ରାଜେଶ ଅଗ୍ରୱାଲ, ଘନଶ୍ୟାମ ଭାଗର୍ତୀ, ଚିନ୍ମୟ ଯୋଶୀ, ଅନୀଲ ରୁବି, ଆନନ୍ଦ ଗୋୟଲ, ପ୍ରେମ ବୋଷ, ଅରୁଣ ଆର୍ଯ୍ୟ, ଗୋପାଳ ପାଠକ, କିଶୋର ବାରିକ, ଆଶିଷ ଠାକୁର, ପରମାନନ୍ଦ ପୁଟେଲ, ପପୁ ଶର୍ମା, ଦୀପକ ଗୁପ୍ତା, ଅମରଚନ୍ଦ ଶର୍ମା, ଘନଶ୍ୟାମ ଗୁରୁଜୀଙ୍କ ସମେତ ବହୁ ଭକ୍ତ ଓ ସମାଜସେବୀ ଉପସ୍ଥିତ ଥିଲେ।
ଆଗାମୀ ଦିନରେ ମହାଯଜ୍ଞକୁ ଆହୁରି ସୁଚାରୁରୂପେ ପରିଚାଳନା କରିବା ପାଇଁ କମିଟିକୁ ସମ୍ପ୍ରସାରଣ କରାଯିବ ବୋଲି କାର୍ଯ୍ୟକାରୀ ଅଧ୍ୟକ୍ଷ ଅଶୋକ ଛାପାଡିଆ ସୂଚନା ଦେଇଛନ୍ତି। ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞକୁ ନେଇ ସମଗ୍ର ଅଞ୍ଚଳରେ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳୁଛି।

0 Comments