ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଦୁଇ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ, ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରିବାକୁ ଦାବି


ତୁରେକେଲା (କୋଶଳ ପ୍ରହରୀ): ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ପଞ୍ଚାୟତର ଦାବ୍ରୀ ଗ୍ରାମରୁ ଚଟୁଅନକା ପଞ୍ଚାୟତର ବେହେରେନସିଲେଟ୍ ନାୟକପଡ଼ାକୁ ସଂଯୋଗ କରୁଥିବା ମୁଖ୍ୟ ମାଟି ରାସ୍ତା ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ବର୍ଷା ଋତୁ ଆସିଲେ ରାସ୍ତାଟି କାଦୁଅ ଓ ବଡ଼ ବଡ଼ ଗାତରେ ପରିଣତ ହେଉଥିବାରୁ ଯାତାୟାତ ଅତ୍ୟନ୍ତ ବିପଦଜନକ ହୋଇପଡ଼ୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଉଭୟ ପଞ୍ଚାୟତର ଶତାଧିକ ଲୋକ, ରୋଗୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯାତାୟାତ କରୁଥିବାରୁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତାଟି ଦୁଇଟି ପଞ୍ଚାୟତର ସୀମାରେ ଥିବାରୁ ଏହାର ଉନ୍ନତି ପ୍ରତି କୌଣସି ବିଭାଗ କିମ୍ବା ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି। ଏହି ସମସ୍ୟାକୁ ନେଇ ପୂର୍ବରୁ ଅନେକ ଥର ଅଭିଯୋଗ କରାଯାଇଥିବା ସହ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି। ରାସ୍ତାର ସର୍ଭେ କାର୍ଯ୍ୟ ସରିଥିବା କଥା ଶୁଣିବାକୁ ମିଳୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏ ସମ୍ପର୍କରେ ଦାବ୍ରୀ ଗ୍ରାମର ସମାଜସେବୀ ତଥା ଜୟ ମାଁ ଦୁଆରଶନୀ ୟୁଥ୍ କ୍ଲବର ସଭାପତି ରାଜୁ ଛତ୍ରିଆ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ତୁରନ୍ତ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି ପିଚୁ ରାସ୍ତାରେ ପରିଣତ କରାଯାଉ। ଏହା ହେଲେ ଉଭୟ ପଞ୍ଚାୟତର ଲୋକଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ହେବ। ସେ ଆହୁରି କହିଛନ୍ତି ଯେ, ଗ୍ରାମବାସୀ ଏବଂ ଜୟ ମାଁ ଦୁଆରଶନୀ ୟୁଥ୍ କ୍ଲବର ସଦସ୍ୟମାନେ ପ୍ରଶାସନ ନିକଟରେ ଏହି ରାସ୍ତାକୁ ଶୀଘ୍ର ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରି ନିର୍ମାଣ କରିବାକୁ ଦାବି କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଗ୍ରାମବାସୀ ଓ ଜୟ ମାଁ ଦୁଆରଶନୀ ୟୁଥ୍ କ୍ଲବର ସଦସ୍ୟମାନେ ସମୂହଭାବେ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି।

Post a Comment

0 Comments