ରାସ୍ତା ମରାମତି ଦାବିରେ ଅଭିନବ ପ୍ରତିବାଦ; ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି
ପାଟଣାଗଡ (କୋଶଲ ପ୍ରହରୀ): ବଲାଙ୍ଗିର ଜିଲ୍ଲାରେ କିଛି ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷା ଯୋଗୁଁ ଅନେକ ଗ୍ରାମାଞ୍ଚଳର ରାସ୍ତା କାଦୁଅ ପଚ୍ପଚ୍ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏପରି ପରିସ୍ଥିତିରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ବାଲିପଟା ପଞ୍ଚାୟତର ଖଳିଆ ଗ୍ରାମବାସୀ ନିଜ ଦାବିକୁ ଏକ ଅଭିନବ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ଖଳିଆ ଗ୍ରାମରୁ ପାଟଣାଗଡକୁ ସିଧାସଳଖ ସଂଯୋଗ କରୁଥିବା ରାସ୍ତା ବର୍ଷା ପାଣିରେ ସମ୍ପୂର୍ଣ୍ଣ କାଦୁଅରେ ପରିଣତ ହୋଇଥିବାରୁ ଯାନବାହନ ଚଳାଚଳ ତ ଦୂରର କଥା, ପାଦରେ ଚାଲିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିଛି। ରାସ୍ତାର ଦୁରବସ୍ଥା ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମବାସୀ କାଦୁଅ ରାସ୍ତା ଉପରେ ଧାନ ପଲ୍ହା ରୋଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ଶୀଘ୍ର ରାସ୍ତାର ମରାମତି କରାଯାଇ ଗ୍ରାମବାସୀଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ପ୍ରଶାସନଙ୍କ ନିକଟରେ ଦାବି ଜଣାଇଛନ୍ତି।

0 Comments