କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ତୁରେକେଲା ବ୍ଲକ ଅନ୍ତର୍ଗତ କୁଇବାହାଲ ପଞ୍ଚାୟତର ସେମଲା ଗ୍ରାମରୁ ଚଚରାବାହାଲି (ଲର୍କି) ପର୍ଯ୍ୟନ୍ତ ଯାଇଥିବା ରାସ୍ତା ବର୍ଷାରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ବିଶେଷକରି ସ୍କୁଲ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇପାରୁନଥିଲେ। ଏପରିକି ଗର୍ଭବତୀ ମହିଳା ଓ ଅସୁସ୍ଥ ରୋଗୀଙ୍କୁ ହସ୍ପିଟାଲକୁ ନେବା ପାଇଁ ଲୋକମାନେ କାନ୍ଧରେ ବୋହି ନେବାକୁ ବାଧ୍ୟ ହେଉଥିଲେ। ଏହି ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ସୁଲତା ମେହେର ସମାଧାନ ଓଡ଼ିଶାକୁ ଅବଗତ କରାଇଥିଲେ। ବିଷୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମାଧାନ ଓଡ଼ିଶାର ନେତୃତ୍ୱରେ ସେମଲା–ଚଚରାବାହାଲି (ଲର୍କି) ମଧ୍ୟରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟରେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିଲା। ଗାଁର ଦୁଇଟି ଟ୍ରାକ୍ଟର, ଏକ ଜେସିବି ମେସିନ୍ ଏବଂ ଦୁଇଟି ପୋଲ ବ୍ୟବହାର କରାଯାଇ ରାସ୍ତାକୁ ଚଳାଚଳ ଉପଯୋଗୀ କରାଯାଇଥିଲା। ଏଥିସହ ସ୍ଥାନୀୟ ଲୋକମାନେ ସ୍ୱେଚ୍ଛାକୃତ ଭାବେ ଶ୍ରମଦାନ କରି ରାସ୍ତା ନିର୍ମାଣ କାର୍ଯ୍ୟକୁ ସଫଳ କରିଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ଅଳ୍ପ ସମୟ ମଧ୍ୟରେ ରାସ୍ତାଟି ଯାତାୟାତ ଉପଯୋଗୀ ହୋଇପାରିଛି। ଏହା ଫଳରେ ସ୍ଥାନୀୟ ଲୋକଙ୍କ ଯାତାୟାତ ସହଜ ହୋଇଥିବା ସହ ଛାତ୍ରଛାତ୍ରୀମାନେ ସ୍କୁଲକୁ ଯାଇପାରୁଛନ୍ତି ଏବଂ ଜରୁରୀ ସ୍ୱାସ୍ଥ୍ୟସେବା ପାଇବାରେ ମଧ୍ୟ ବହୁ ସୁବିଧା ହୋଇଛି। ଗ୍ରାମବାସୀମାନେ ଏହି ଜନହିତକର ପଦକ୍ଷେପକୁ ସ୍ୱାଗତ କରି ସମାଧାନ ଓଡ଼ିଶା ଓ ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟରେ ସମାଧାନ ଓଡ଼ିଶାର ସଭାପତି ପ୍ରଣତି ନାଗ, ସମ୍ପାଦିକା ମନିତା ମହାନ୍ତି, କ୍ଲଷ୍ଟର କୋ-ଅର୍ଡିନେଟର ଈଶ୍ୱର ସୁନା ଏବଂ ଧନେଶ୍ୱର ବେନିଆଙ୍କ ଭୂମିକା ପ୍ରଶଂସନୀୟ ରହିଥିବାବେଳେ ଗ୍ରାମବାସୀମାନେ ସମାଧାନ ଓଡ଼ିଶା ସଂଗଠନ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

0 Comments