ଧର୍ମଗଡ,କୋକସରା (କୋଶଳ ପ୍ରହରୀ) : କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ଆମ ହସ୍ପିଟାଲ’ ଯୋଜନା ଅଧୀନରେ ଚାଲିଥିବା ନୂତନ ଭବନ ନିର୍ମାଣ କାର୍ଯ୍ୟକୁ ନେଇ ନିମ୍ନମାନର କାମ ହେଉଥିବା ଅଭିଯୋଗ ପରେ ପ୍ରଶାସନିକ ତତ୍ପରତା ଦେଖାଯାଇଛି। ଶନିବାର ସ୍ଥାନୀୟ ବିଧାୟକ ନିର୍ମାଣ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ଓ ଗୁଣବତ୍ତାର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାକୁ ଉନ୍ନତମାନର କାମ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। କିଛି ଦିନ ପୂର୍ବରୁ ସ୍ଥାନୀୟ ସଚେତନ ନାଗରିକମାନେ ଅଭିଯୋଗ କରିଥିଲେ ଯେ, ପିଲର ପାଇଁ ଖୋଳାଯାଇଥିବା ଗାତରେ ବାଲି ଓ କ୍ରସର ଗୁଣ୍ଡ ପକାଇବା ପରିବର୍ତ୍ତେ ଖୋଳା ମାଟିକୁ ପୁଣି ଭର୍ତ୍ତି କରାଯାଉଛି। ଏହାଦ୍ୱାରା ଭବନର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠିଥିଲା। ସେହିପରି କାର୍ଯ୍ୟସ୍ଥଳରେ ବିଭାଗୀୟ ତଦାରଖର ଅଭାବ ଓ ପ୍ରକଳ୍ପ ସମ୍ପର୍କିତ ସୂଚନା ଫଳକ ନ ଥିବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଧାୟକ ନିର୍ମାଣ ସ୍ଥଳକୁ ଯାଇ ବାସ୍ତବ ସ୍ଥିତିର ଅନୁଧ୍ୟାନ କରିଥିଲେ। ସେ ଏନପିସିସିର ନିର୍ବାହୀ ଅଧିକାରୀ ଓ ଠିକାସଂସ୍ଥା ପ୍ରତିନିଧିଙ୍କଠାରୁ ଜବାବ ତଲବ କରିବା ସହ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି କହିଥିଲେ ଯେ, ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ। ଗୁଣାତ୍ମକ କାର୍ଯ୍ୟ ସୁନିଶ୍ଚିତ କରିବାକୁ ସେ ଠିକାସଂସ୍ଥାକୁ କଡ଼ା ତାଗିଦ ଦେଇଥିଲେ। ପରିଦର୍ଶନ ସମୟରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଧାୟକଙ୍କୁ ସୂଚନା ଦେଇଥିଲେ। ଏହି ଅବସରରେ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ମଣ୍ଡଳ ସଭାପତି ବସନ୍ତ ନାଗଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

0 Comments