ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ସିଡିଏମ୍‌ଓଙ୍କ ଆଶ୍ୱାସନ ପରେ ଓଜେସିର ଅନଶନ ପ୍ରତ୍ୟାହାର


କଣ୍ଟାବାଞ୍ଜି (କୋଶଳ ପ୍ରହରୀ) : କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ଦିବାରାତ୍ରି ଅନଶନ ମଙ୍ଗଳବାର ବଲାଙ୍ଗୀର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍‌ଓ) ଡା. ପୁଷ୍ପାଞ୍ଜଳି ମିଶ୍ରଙ୍କ ଆଶ୍ୱାସନ ପରେ ପ୍ରତ୍ୟାହାର କରାଯାଇଛି।

ଆନ୍ଦୋଳନକାରୀଙ୍କ ଦାବି ଥିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ହସ୍ପିଟାଲରେ ଉନ୍ନତ କରିବା, ଏମ୍‌ସିଏଚ୍‌ରେ ଶୀଘ୍ର ସି-ସେକ୍ସନ୍ ସେବା ଆରମ୍ଭ କରିବା, ହସ୍ପିଟାଲରେ ନିୟମିତ ପରିଷ୍କାର-ପରିଚ୍ଛନ୍ନତା ସୁନିଶ୍ଚିତ କରିବା, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ରକ୍ତଭଣ୍ଡାରର ମରାମତି ଓ ଆଧୁନିକୀକରଣ, ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା, ରୋଗୀ କଲ୍ୟାଣ ସମିତିକୁ ସକ୍ରିୟ କରିବା ଏବଂ ଔଷଧ ବିତରଣ କେନ୍ଦ୍ରକୁ ୨୪ ଘଣ୍ଟା ଚାଲୁ ରଖିବା।

ଦ୍ୱିତୀୟ ଦିନରେ ସିଡିଏମ୍‌ଓ ଡା. ପୁଷ୍ପାଞ୍ଜଳି ମିଶ୍ର ଅନଶନସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦାବିଗୁଡ଼ିକୁ ପର୍ଯ୍ୟାୟକ୍ରମେ ସମାଧାନ କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସେ ପ୍ରତିଶ୍ରୁତି ଦେବା ପରେ ଓଜେସି ପକ୍ଷରୁ ଅନଶନ ପ୍ରତ୍ୟାହାର କରାଯାଇଥିଲା।

ଓଜେସିର ଜିଲ୍ଲା ସଭାପତି ରୂପେଶ ବେହେରା କହିଥିଲେ ଯେ, କଣ୍ଟାବାଞ୍ଜି ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ସରକାର ଶୀଘ୍ର ଦାବିଗୁଡ଼ିକ ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।

ସଂଗଠନର ଜିଲ୍ଲା ସଭାପତି ରୂପେଶ ବେହେରାଙ୍କ ନେତୃତ୍ୱରେ ଯୁବ ନେତା ଅରୁଣ କୁମାର ତାଣ୍ଡି, ରାଜ୍ୟ ସମ୍ପାଦକ ବିକାଶ ବେହେରା, ଗୁପ୍ତେଶ୍ୱର ବେହେରା, କୁଶଧର ମାଝୀ, ଚିତ୍ର ବେହେରା, ସୁବାଷ ବଛା, ଦେବାଶିଷ ପଣ୍ଡା, କେଶରୀ ଦୀପ, ଲକ୍ଷ୍ମଣ ନିଆଲ, ମନୋଜ ନିଆଲ, ନିରଞ୍ଜନ ମାଝୀ, ଧନୁ ନିଆଲ, ଦୁରମାନ ନିଆଲ, ଜଗତରାମ ନାଗ, ଶେଷଦେବ ନିଆଲ, ଯଶୋବନ୍ତ ରଣା, ରିକି ତାଣ୍ଡି, ଦିଲ୍ଲୀପ କୁମାର ତାଣ୍ଡି, ସଲିମ ମହାନନ୍ଦ, ହେମନ୍ତ ପ୍ରଧାନ, ବଳରାମ ହଂସ, ଲାଲସାଏ ମାଝୀ, ବଳ ବେହେରା, ଗୋବିନ୍ଦ ରାମ ଗୁପ୍ତା, ନନ୍ଦି କିଶୋର ବାରିକ, ଅରକ୍ଷିତ ନାଗ, ବଳରାମ ବେହେରା, ତିଳ ଚିରାଗୁନ ଓ ସଞ୍ଜୟ ସୁନାଙ୍କ ସମେତ ବହୁ କର୍ମୀ ଓ ସମର୍ଥକ ଆନ୍ଦୋଳନରେ ସାମିଲ ହୋଇଥିଲେ।

ଆନ୍ଦୋଳନକୁ ଓଡ଼ିଶା ପତ୍ରକାର ସଂଘ, କଣ୍ଟାବାଞ୍ଜି ପ୍ରେସ କ୍ଲବ, କଣ୍ଟାବାଞ୍ଜି ନାଗରିକ କମିଟି ଏବଂ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ମଧ୍ୟ ସମର୍ଥନ ଜଣାଇଥିଲେ। ସିଡିଏମ୍‌ଓଙ୍କ ଆଶ୍ୱାସନ ପରେ ଅନଶନ ସାମୟିକ ଭାବେ ପ୍ରତ୍ୟାହାର କରାଯାଇଥିବା ବେଳେ, ଦାବିଗୁଡ଼ିକ କାର୍ଯ୍ୟକାରୀ ନ ହେଲେ ପୁଣି ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଓଜେସି ପକ୍ଷରୁ ସୂଚନା ଦିଆଯାଇଛି।

Post a Comment

0 Comments