ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

କଣ୍ଟାବାଞ୍ଜି CHCର ଅବ୍ୟବସ୍ଥା ନେଇ ନାଗରିକ କମିଟିର ହୁଙ୍କାର; CDMOଙ୍କୁ ଦାବିପତ୍ର, ପଦଯାତ୍ରା ଚେତାବନୀ


କଣ୍ଟାବାଞ୍ଜି (କୋଶଳ ପ୍ରହରୀ): କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ରେ ଦୀର୍ଘଦିନ ଧରି ଲାଗି ରହିଥିବା ଅବ୍ୟବସ୍ଥା, ଡାକ୍ତର ଅଭାବ ଓ ଭିତ୍ତିଭୂମିର ଦୁର୍ବଳତାକୁ ନେଇ ସ୍ୱର ଉଠାଇଛି କଣ୍ଟାବାଞ୍ଜି ନାଗରିକ କମିଟି। ସୋମବାର କମିଟିର ଏକ ପ୍ରତିନିଧି ଦଳ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ଙ୍କୁ ଭେଟି ସ୍ୱାସ୍ଥ୍ୟ କେନ୍ଦ୍ରର ଜରୁରୀ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଦାବି କରି ସ୍ମାରକପତ୍ର ପ୍ରଦାନ କରିଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, CHCରେ ରୋଗୀ ସଂଖ୍ୟା ବଢ଼ୁଥିବା ସତ୍ତ୍ୱେ ମାତ୍ର ୪୦ଟି ବେଡ୍ ରହିଛି ଓ ସେଥିରୁ ଅନେକ ବ୍ୟବହାର ଅନୁପଯୋଗୀ ଅବସ୍ଥାରେ ଅଛି। ପ୍ରସୂତି ବିଭାଗର OT ଦୀର୍ଘଦିନ ଧରି ବନ୍ଦ ଥିବାରୁ ଗର୍ଭବତୀ ମହିଳାମାନେ ଜରୁରୀ ସମୟରେ ବେଲପଡ଼ା କିମ୍ବା ପାଟଣାଗଡ଼କୁ ରେଫର ହେବାକୁ ବାଧ୍ୟ ହେଉଛନ୍ତି। ଦୁଇଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ ନିଯୁକ୍ତି, ଏକ୍ସ-ରେ ସେବା ପୁନଃ ଚାଲୁ, ଦାନ୍ତ ଓ ଫିଜିଓଥେରାପି OPD କାର୍ଯ୍ୟକ୍ଷମ କରିବା, ପର୍ଯ୍ୟାପ୍ତ ମାଗଣା ଔଷଧ ଯୋଗାଣ, ଭଙ୍ଗା OPD କକ୍ଷର ମରାମତି, ପରିଷ୍କାର ଶୌଚାଳୟ, ୱାଟର କୁଲର ମରାମତି ଏବଂ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଭଳି ଦାବି ଉଠାଯାଇଛି।

CDMO ସ୍ମାରକପତ୍ର ଗ୍ରହଣ କରି ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିଲେ। ସେହିପରି ପୋଷ୍ଟମର୍ଟମ ବିଭାଗ ପାଇଁ ଜଣେ କର୍ମଚାରୀ ନିଯୁକ୍ତ ହୋଇଥିବା ସୂଚନା ମଧ୍ୟ ଦେଇଥିଲେ। ନାଗରିକ କମିଟି ସ୍ପଷ୍ଟ କରିଛି ଯେ, ଦାବିଗୁଡ଼ିକ ଶୀଘ୍ର ପୂରଣ ନହେଲେ କଣ୍ଟାବାଞ୍ଜିର ଆରାଧ୍ୟା ଦେବୀ ମା' ଦୁଆରସନୀଙ୍କ ପୀଠରୁ ବଲାଙ୍ଗୀର CDMO କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା ସହ ଜନଆନ୍ଦୋଳନ ଆରମ୍ଭ କରାଯିବ। ଏହି ଅବସରରେ ନାଗରିକ କମିଟିର ସଭାପତି ବିଶାଳ ତାଣ୍ଡି, ଉପ-ସଭାପତି ରାଜୁ ଛତ୍ରିଆ, ଯୁଗ୍ମ ସମ୍ପାଦକ ଲୋକେଶ ଭୋଇ, ଲକି ପାନିକା, ଦୁଃଖନାଶନ ମଲ୍ଲିକ, ଜୟନ୍ତ ବାଞ୍ଛୋରଙ୍କ ସମେତ KMMର ଜିତୁ ନାୟକ ଓ Wyom ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ।

Post a Comment

0 Comments