ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

ମଦ ବିରୋଧୀ ଆନ୍ଦୋଳନ ଜୋରଦାର: ନବରଙ୍ଗପୁରରେ ଏକାଠି ହେଲେ ଶହ ଶହ ମହିଳା

ଝରିଗାଁରେ ଗାଁକୁ ଗାଁ ବୁଲି ଚାଲିଛି ସଚେତନତା ଅଭିଯାନ, ବେଆଇନ ମଦ ପ୍ରସ୍ତୁତି ବନ୍ଦ କରିବାକୁ ଚେତାବନୀ


ନବରଙ୍ଗପୁର/ଝରିଗାଁ, (କୋଶଳ ପ୍ରହରୀ) : ଦେଶୀ ଓ ବିଦେଶୀ ମଦ ବିରୋଧରେ ନବରଙ୍ଗପୁର ଜିଲ୍ଲାରେ ମହିଳାଙ୍କ ଆନ୍ଦୋଳନ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ଜିଲ୍ଲା ନାରୀ ମହାସଂଘର ଆହ୍ୱାନକ୍ରମେ ଜିଲ୍ଲାର ୧୦ଟି ବ୍ଲକର ମହିଳାମାନେ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଛନ୍ତି। ଗାଁ ଗାଁରେ ବୈଠକ କରି ବେଆଇନ ମଦ ପ୍ରସ୍ତୁତି ବନ୍ଦ କରିବା ସହ ଲୋକଙ୍କୁ ସଚେତନ କରାଯାଉଛି। ଏହି ଅଭିଯାନରେ ବିଭିନ୍ନ ପଞ୍ଚାୟତର ମହିଳାମାନେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଭେଟି ମଦ ବିରୋଧୀ ଆନ୍ଦୋଳନକୁ ସଫଳ କରିବା ପାଇଁ ପୁଲିସର ସହଯୋଗ ଲୋଡ଼ିବା ସହ ସ୍ମାରକପତ୍ର ପ୍ରଦାନ କରୁଛନ୍ତି। ଝରିଗାଁ ବ୍ଲକର ପାଳିଆ, ଫୁଫୁଗାଁ, ଭାଲୁକାନାଡ଼ି, ବଡ଼ଟେମରା, ଚିତାବେଡ଼ା ଓ ଇଚ୍ଛାପୁର ଭଳି ବିଭିନ୍ନ ପଞ୍ଚାୟତର ଶହ ଶହ ମହିଳା ଏହି ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଗ୍ରାମସ୍ତରରେ ବୈଠକ ଆୟୋଜନ କରି ମଦ୍ୟପାନର କୁପରିଣାମ ସମ୍ପର୍କରେ ଲୋକଙ୍କୁ ବୁଝାଯାଉଛି। ଏଥିସହ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ଏହି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦିଆଯାଉଛି। ବିଶେଷକରି ଝରିଗାଁ ବ୍ଲକର ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଧୂମାମ, ଢେପଗୁଡ଼ା, କୁରଲୁଭଟ୍ଟା, କେବିଡ଼ି, ଡଙ୍ଗରିଗୁଡ଼ା, ବେନ୍ଦ୍ରାପାଣି ଓ ଖରାଡଙ୍ଗରି ଆଦି ଗ୍ରାମରେ ମହିଳାଙ୍କ ଅଭିଯାନ ଜୋରଦାର ହୋଇଛି। ଶହ ଶହ ମହିଳା ଏକାଠି ହୋଇ ଗାଁକୁ ଗାଁ ଓ ଘରକୁ ଘର ବୁଲି ହାତରନ୍ଧା ଦେଶୀ ମଦ, ମହୁଲ ପୋଚ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ନଷ୍ଟ କରୁଥିବା ସହ ମଦ ପ୍ରସ୍ତୁତକାରୀଙ୍କୁ ଏଥିରୁ ଦୂରେଇ ରହିବାକୁ କହୁଥିବା ଦେଖିବାକୁ ମିଳିଛି। ମଦ ଯୋଗୁଁ ପରିବାରରେ ଅଶାନ୍ତି, ଆର୍ଥିକ ସମସ୍ୟା ଓ ସାମାଜିକ ବିଶୃଙ୍ଖଳା ବଢ଼ୁଥିବା ଅଭିଯୋଗ ମଧ୍ୟରେ ମହିଳାମାନେ ଏହି ଅଭିଯାନକୁ ନିଜ ଅଞ୍ଚଳରେ ଆଗକୁ ବଢ଼ାଉଛନ୍ତି। ନାରୀଶକ୍ତିର ଏହି ଜାଗରଣ ପରେ ଜିଲ୍ଲାରେ ହାତରନ୍ଧା ଦେଶୀ ମଦ ପ୍ରସ୍ତୁତି ଓ ମଦ୍ୟପଙ୍କ ସଂଖ୍ୟା ହ୍ରାସ ପାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରିକୁ ରୋକିବା ପାଇଁ ପ୍ରଶାସନ ଓ ପୁଲିସର ନିୟମିତ ତଦାରଖ ସହ ମହିଳାଙ୍କ ଏହି ଅଭିଯାନକୁ ଆହୁରି ସଂଗଠିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

Post a Comment

0 Comments