କଣ୍ଟାବାଞ୍ଜି | ବଙ୍ଗୋମୁଣ୍ଡା (କୋଶଳ ପ୍ରହରୀ) ଜରୁରୀ ସମୟରେ ୧୦୮ ଆମ୍ବୁଲାନ୍ସ ପୁଣି ଥରେ ଜୀବନ ରକ୍ଷକ ସାଜିଛି। ଆମ୍ବୁଲାନ୍ସର ଫାର୍ମାସିଷ୍ଟ ପ୍ରକାଶ ପୁଟେଲଙ୍କ ଉପସ୍ଥିତ ବୁଦ୍ଧି ଓ ତତ୍ପରତା ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ସମ୍ଭବ ହୋଇଛି। ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ବେଳେ ମା’ ଓ ନବଜାତ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ମୁରିବାହାଲ ବ୍ଲକ ଦାଣ୍ଡରା ଗ୍ରାମରୁ ଜଣେ ଗର୍ଭବତୀ ମହିଳାଙ୍କୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ଯାଇଥିଲା। ତେବେ ମହିଳାଙ୍କୁ ଆଣିବା ସମୟରେ ରାସ୍ତାରେ ତାଙ୍କର ପ୍ରସବ ବେଦନା ବଢ଼ିଯାଇଥିଲା। ଏଭଳି ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ପ୍ରକାଶ ପୁଟେଲ ନିଜର ଅଭିଜ୍ଞତା ଓ ଉପସ୍ଥିତ ବୁଦ୍ଧିର ସଠିକ୍ ପ୍ରୟୋଗ କରି ଆମ୍ବୁଲାନ୍ସ ଭିତରେ ହିଁ ସୁରକ୍ଷିତ ପ୍ରସବ କରାଇଥିଲେ। ପରେ ମା’ ଓ ନବଜାତ ଶିଶୁକନ୍ୟାଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ଏହି ଜରୁରୀ ସମୟରେ ଫାର୍ମାସିଷ୍ଟ ପ୍ରକାଶ ପୁଟେଲଙ୍କ ସହ ବୈବସୁତ ନାଗ ଓ ଆମ୍ବୁଲାନ୍ସ ଚାଳକ ଫଲଗୁନି ଗୁଣ୍ଠ ମଧ୍ୟ ସହଯୋଗ କରିଥିଲେ। ୧୦୮ ଆମ୍ବୁଲାନ୍ସ ଟିମ୍ର ଏହି ତତ୍ପରତା ଓ ସେବା ମନୋଭାବ ପ୍ରଶଂସାର ପାତ୍ର ହୋଇଛି। ଏହି ଘଟଣା ପୁଣି ଥରେ ପ୍ରମାଣ କରିଛି ଯେ, ଜରୁରୀ ସମୟରେ ତତ୍ପରତା, ଦାୟିତ୍ୱବୋଧ ଓ ମାନବିକତା ଅମୂଲ୍ୟ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।

0 Comments