ଘଟଣାକୁ ତୀବ୍ର ନିନ୍ଦା କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଏସ୍ପିଙ୍କୁ ଲେଖିଲେ ଚିଠି
ଆକ୍ରମଣର ଶିକାର ହୋଇଥିବା ଶ୍ରୀ ସୁରଥ ବେହେରା ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଆବଶ୍ୟକ ଚିକିତ୍ସା ସୁବିଧା ଓ ସୁରକ୍ଷା ସୁନିଶ୍ଚିତ କରିବାକୁ ଡ. ବିଶି ଅନୁରୋଧ କରିଛନ୍ତି।
ଡ. ବିଶି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଜନସ୍ୱାର୍ଥ, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଜଣେ ସାମାଜିକ କର୍ମୀ ଓ ସାମ୍ବାଦିକଙ୍କ ଉପରେ ଏଭଳି ଆକ୍ରମଣ ଗଣତାନ୍ତ୍ରିକ ମୂଲ୍ୟବୋଧ, ସୂଚନା ଅଧିକାର, ଗଣମାଧ୍ୟମର ସ୍ୱାଧୀନତା ଓ ଆଇନର ଶାସନ ପ୍ରତି ଗୁରୁତର ଆଘାତ। ଗଣତନ୍ତ୍ରରେ ଅନ୍ୟାୟ ଓ ଅନିୟମିତତା ବିରୋଧରେ ସ୍ୱର ଉଠାଉଥିବା ବ୍ୟକ୍ତିଙ୍କୁ ହିଂସା ଓ ଭୟଭୀତ କରି ନିରବ କରାଇବାର ପ୍ରୟାସ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।
ଏହି ଘଟଣାରେ ତୁରନ୍ତ ଅଭିଯୋଗ ଓ ଉପଲବ୍ଧ ପ୍ରମାଣ ଆଧାରରେ ମାମଲା ରୁଜୁ କରିବା, ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା, ନିରପେକ୍ଷ ଓ ସମୟସୀମା ମଧ୍ୟରେ ତଦନ୍ତ ସମ୍ପନ୍ନ କରିବା ସହ ଆକ୍ରମଣର ଶିକାର ଶ୍ରୀ ବେହେରାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଡ. ବିଶି ଦାବି କରିଛନ୍ତି।
“ଗଣତନ୍ତ୍ରରେ ସତ୍ୟ ଓ ଜନସ୍ୱାର୍ଥ ପାଇଁ ସ୍ୱର ଉଠାଉଥିବା ସାମ୍ବାଦିକ ଓ ସାମାଜିକ କର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପ୍ରଶାସନର ଗୁରୁଦାୟିତ୍ୱ। ହିଂସା ଓ ଭୟଭୀତ କରିବା ମାଧ୍ୟମରେ ଗଣତାନ୍ତ୍ରିକ ସ୍ୱରକୁ ଦମନ କରିବାକୁ ଦିଆଯାଇପାରିବ ନାହିଁ,” ବୋଲି ଡ. ବିଶି କହିଛନ୍ତି।
ଘଟଣାକୁ ପୁଲିସ ପ୍ରଶାସନ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ତ୍ୱରିତ ଓ ଦୃଷ୍ଟାନ୍ତମୂଳକ ଆଇନଗତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

0 Comments