କଣ୍ଟାବାଞ୍ଜି (କୋଶଳ ପ୍ରହରୀ) : ପର୍ବ ଗୋଟିଏ, ଉତ୍ସବ ଗୋଟିଏ, ଆଉ ଲକ୍ଷ୍ୟ ସମାଜରେ ଏକତା ଓ ଭାଇଚାରା ବଜାୟ ରଖିବା। ଏଭଳି ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ରୋଡ୍ ନମ୍ବର-୨ରେ। ବିଜୟାଦଶମୀ ଅବସରରେ ଅଞ୍ଚଳର ସମସ୍ତ ପରିବାର ଏକାଠି ହୋଇ ସାମୂହିକ ଭାବେ ରାବଣ ଦହନ କରି ପର୍ବକୁ ଉତ୍ସାହର ସହ ପାଳନ କରିଛନ୍ତି। ପୌରାଣିକ ପରମ୍ପରା ଅନୁଯାୟୀ, ରାବଣ ଦହନ ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ଏହି ପରମ୍ପରାକୁ ଆଧାର କରି ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଏନ୍ଏସି ଅଧ୍ୟକ୍ଷ ବରୀୟମ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାବଣ ଦହନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ପାଇଁ ଜଳଖିଆର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ଆୟୋଜନକୁ ସଫଳ କରିବାରେ ଆନନ୍ଦ ତାଉ, ହେମରାଜ ଜୈନ, ବିକ୍କି କେକେ, ସୌରଭ ମୁନା, ରାହୁଲ ମାଙ୍ଗେମୋହନ, ସୁମିତ ଜିନ୍ଦଲ, ଦୀପିକା ରାହୁଲ ଅଗ୍ରୱାଲ, ନେହା ହେମରାଜ ଜୈନ, ସୋନିଆ ଆନନ୍ଦ ଅଗ୍ରୱାଲ ଓ ଖୁସି ଅଗ୍ରୱାଲଙ୍କ ସମେତ ଅଞ୍ଚଳର ସମସ୍ତ ପରିବାର ସହଯୋଗର ହାତ ବଢ଼ାଇଥିଲେ। ରାବଣ ପ୍ରତିମୂର୍ତ୍ତି ନିର୍ମାଣରେ ବବଲୁ ପେଣ୍ଟର ସହଯୋଗ କରିଥିଲେ। ବ୍ୟକ୍ତିଗତ ଭାବନାକୁ ପଛରେ ପକାଇ ସାମୂହିକ ଭାବେ ପର୍ବ ପାଳନ କରିବାର ଏହି ପ୍ରୟାସ ଅଞ୍ଚଳରେ ସାମାଜିକ ସଦ୍ଭାବନାର ଏକ ସୁନ୍ଦର ବାର୍ତ୍ତା ଦେଇଛି। ରାବଣ ଦହନ ସହ ଅହଂକାର, ଅନ୍ୟାୟ ଓ ଅସତ୍ୟର ପରିତ୍ୟାଗ କରି ସତ୍ୟ ଓ ନ୍ୟାୟର ପଥରେ ଚାଲିବାର ସଂକଳ୍ପ ନେବାକୁ ମଧ୍ୟ ଏହି ପର୍ବ ସମସ୍ତଙ୍କୁ ପ୍ରେରଣା ଦେଇଛି। ରୋଡ୍ ନମ୍ବର-୨ବାସୀଙ୍କ ଏହି ମିଳିତ ପ୍ରୟାସ ଉତ୍ସବର ଆନନ୍ଦ ସହ ଏକତା ଓ ଭାଇଚାରାର ମହତ୍ତ୍ୱକୁ ପୁଣି ଥରେ ପ୍ରତିପାଦିତ କରିଛି।
କୋଶଳ ପ୍ରହରୀ | କଣ୍ଟାବାଞ୍ଜି

0 Comments