ବଲାଙ୍ଗିର (କୋଶଳ ପ୍ରହରୀ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଲୁହା ରଡ୍ରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଆକ୍ରମଣରେ ତୁରେକେଲାର ମେଘନାଦ ନାୟକ ଗୁରୁତର ଆହତ ହୋଇଥିବା ବେଳେ ସେ ବର୍ତ୍ତମାନ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ସୂଚନା ଅନୁସାରେ, ଗତ ୩୧ ତାରିଖ ରାତିରେ ମେଘନାଦ ନାୟକଙ୍କୁ ସନ୍ତାପ ସାହୁ, ପ୍ରତାପ ସାହୁ ଓ କାମଦେବ ପୁଟେଲ ଲୁହା ରଡ୍ରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ ମେଘନାଦଙ୍କ ମୁଣ୍ଡ, ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ ଆଘାତ ଲାଗିଥିଲା। ଘଟଣା ପରେ ତାଙ୍କୁ ପ୍ରଥମେ ତୁରେକେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ତୁରେକେଲା ଥାନାରେ କେସ୍ ନମ୍ବର ୧୬୦, ତାରିଖ ୦୧.୦୯.୨୦୨୬ରେ ବିଏନ୍ଏସ୍ର ଧାରା ୧୨୬(୨)/୧୧୫(୨)/୧୧୭(୨)/୧୦୯(୧)/୩୫୧(୩)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ କରି ପୁଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି ସେପ୍ଟେମ୍ବର ୨ ତାରିଖରେ କୋର୍ଟ ଚାଲାଣ କରିଛି। ଏଥିସହ ପୁଲିସ ଘଟଣାରେ ବ୍ୟବହୃତ ଗୋଟିଏ ଲୁହା ରଡ୍ ଓ ଗୋଟିଏ ବାଇକ୍ ଜବତ କରିଛି। ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଥିବା ତୁରେକେଲା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।

0 Comments