ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଖଡ଼ିଆଳ ମୁଖ୍ୟ ସଡ଼କରେ ମଦଭାଟିର ଦୁର୍ଗନ୍ଧଯୁକ୍ତ ନର୍ଦ୍ଦମା ଜଳ

ଯାତାୟାତ ବାଧାପ୍ରାପ୍ତ, ଅସ୍ୱାସ୍ଥ୍ୟକର ପରିବେଶ; ପଦକ୍ଷେପ ଦାବି


ଖଡ଼ିଆଳ, ୭/୯ (କୋଶଳ ପ୍ରହରୀ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ-ବୋଡେନ ମୁଖ୍ୟ ସଡ଼କର ଘାସି ଦାସ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଗନ୍ଧଯୁକ୍ତ ନର୍ଦ୍ଦମା ଜଳ ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ପଚା ଜଳର ଦୁର୍ଗନ୍ଧରେ ପଥଚାରୀ ଓ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡ଼ିଥିବା ଅଭିଯୋଗ ହେଉଛି। ସ୍ଥାନୀୟଙ୍କ ଅଭିଯୋଗ ଅନୁଯାୟୀ, ଏହି ନର୍ଦ୍ଦମା ଜଳ ଖଡ଼ିଆଳ ମଦଭାଟି ଅଞ୍ଚଳରୁ ବାହାରି ଖଡ଼ିଆଳ ଶ୍ମଶାନ ଦେଇ ତଳ ଅଞ୍ଚଳକୁ ପ୍ରବାହିତ ହେଉଥିଲା। ଏହି ଜଳ ନିଷ୍କାସନ ପାଇଁ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ପକ୍ଷରୁ ସଡ଼କ ତଳେ ପୋଲ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବର୍ତ୍ତମାନ ତାହା ପୋତି ହୋଇଯାଇଥିବାରୁ ଜଳ ନିଷ୍କାସନ ପାଇଁ ସ୍ୱାଭାବିକ ପଥ ରହିନାହିଁ। ଫଳରେ ନର୍ଦ୍ଦମା ଜଳ ରାସ୍ତା ଉପରେ ପ୍ରବାହିତ ହୋଇ ପଥଚାରୀ ଓ ଯାନବାହନ ଚଳାଚଳରେ ବାଧା ସୃଷ୍ଟି କରୁଛି। ପଚା ଜଳର ଦୁର୍ଗନ୍ଧ ସହ ପରିବେଶ ଦୂଷିତ ହେବା ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ନର୍ଦ୍ଦମା ଜଳ ନିଷ୍କାସନ ପାଇଁ ସମ୍ପୃକ୍ତ ମଦଭାଟି ପକ୍ଷରୁ ନିଜସ୍ୱ ବ୍ୟବସ୍ଥା କରିବାର ଆବଶ୍ୟକତା ଥିବା ସତ୍ତ୍ୱେ ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ଜନସାଧାରଣଙ୍କ ଅଭିଯୋଗ ପରେ ମଧ୍ୟ ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଏହା ଦାୟିତ୍ୱହୀନତାର ନିଦର୍ଶନ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ମୁଖ୍ୟ ସଡ଼କ ଉପରେ ଖୋଲାଖୋଲି ନର୍ଦ୍ଦମା ଜଳ ପ୍ରବାହିତ ହେବା ଦ୍ୱାରା ଜନସ୍ୱାସ୍ଥ୍ୟ ଓ ପରିବେଶ ଉଭୟ ପ୍ରଭାବିତ ହେଉଥିବାରୁ ଖଡ଼ିଆଳ ପଞ୍ଚାୟତ ସମେତ ଗୃହ ଓ ପୂର୍ତ୍ତ ନିର୍ମାଣ ବିଭାଗ ତୁରନ୍ତ ଘଟଣାସ୍ଥଳ ଅନୁଧ୍ୟାନ କରି ନର୍ଦ୍ଦମା ଜଳର ସୁବ୍ୟବସ୍ଥିତ ନିଷ୍କାସନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Post a Comment

0 Comments