ସିନ୍ଧେକେଲା (କୋଶଳ ପ୍ରହରୀ) : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ସିନ୍ଧେକେଲା-ଝରିଆଲ ରାସ୍ତାର ବକାଗୁରା ଓ ବଗର୍ତ୍ତିପଡ଼ା ମଧ୍ୟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବେହେରାଭଟା ଗ୍ରାମର ଗୋବର୍ଦ୍ଧନ ଭୋଇ (୪୭) ନିଜ ହିରୋ ସିଡି ଡିଲକ୍ସ ବାଇକ୍ରେ କୌଣସି କାମରେ ସିନ୍ଧେକେଲା ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ମଲକାସୋଡ଼ା ଗ୍ରାମର ପୃଥ୍ୱୀରାଜ ବାଗ ଓ ତାଙ୍କ ସହଯାତ୍ରୀ ଅନ୍ୟ ଏକ ହିରୋ ସିଡି ଡିଲକ୍ସ ବାଇକ୍ରେ ସିନ୍ଧେକେଲା ଅଭିମୁଖେ ଆସୁଥିଲେ। ବକାଗୁରା ଓ ବଗର୍ତ୍ତିପଡ଼ା ମଧ୍ୟରେ କୌଣସି କାରଣରୁ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଗୋବର୍ଦ୍ଧନ ଭୋଇ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଅନ୍ୟପଟେ ପୃଥ୍ୱୀରାଜ ବାଗ ଓ ତାଙ୍କ ସହଯାତ୍ରୀ ଆହତ ହୋଇଥିଲେ। ଉଭୟଙ୍କୁ ସିନ୍ଧେକେଲା ହସ୍ପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଖବର ପାଇ ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବାଇକ୍ ଓ ମୃତଦେହ ଜବତ କରିଥିଲା। ଏନେଇ ସିନ୍ଧେକେଲା ଥାନାରେ କେସ୍ ନମ୍ବର ୧୭୦/୨୦୨୬ ରୁଜୁ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣା ସମ୍ପର୍କରେ ସିନ୍ଧେକେଲା ପୁଲିସ ଏସ୍ଆଇ ଜତିନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।


0 Comments