ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଆମ୍ବୁଲାନ୍ସ ଭିତରେ "ମା" କୋଳକୁ ଆସିଲା ଶିଶୁ : ସଙ୍କଟ ବେଳେ ଦେବଦୂତ ସାଜିଲେ ୧୦୮ ଟିମ୍‌


ନୂଆପଡ଼ା (କୋଶଳ ପ୍ରହରୀ) : ରାସ୍ତାରେ ଦୌଡ଼ୁଥିଲା ୧୦୮ ଆମ୍ବୁଲାନ୍ସ। ଭିତରେ ଜୀବନ ଓ ମୃତ୍ୟୁ ସହ ଚାଲିଥିଲା ସଂଘର୍ଷ। ହଠାତ୍‌ ବଢ଼ିଗଲା ଗର୍ଭବତୀଙ୍କ ପ୍ରସବ ବେଦନା। ହସ୍ପିଟାଲ ପହଞ୍ଚିବାକୁ ଆଉ ସମୟ ଥିଲା। ଏଭଳି ସଙ୍କଟମୟ ସମୟରେ ଆମ୍ବୁଲାନ୍ସ ଭିତରେ ହିଁ ନିଆଗଲା ପ୍ରସବ କରାଇବାର ନିଷ୍ପତ୍ତି। ନୂଆପଡ଼ା ଜିଲ୍ଲା ବୁଦ୍ଧିକୋମନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସରେ ଘଟିଛି ଏଭଳି ଏକ ମାନବିକତାର ଘଟଣା। ଲଖନା ଗ୍ରାମରୁ ଜଣେ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଉଥିବା ବେଳେ ରାସ୍ତା ମଝିରେ ତାଙ୍କର ପ୍ରସବ ବେଦନା ତୀବ୍ର ହୋଇଥିଲା। ପରିସ୍ଥିତିର ଗମ୍ଭୀରତା ବୁଝି ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଅମୀୟ କୁମାର ନାୟକ ସାହସ ଓ ଅଭିଜ୍ଞତାର ସହ ପ୍ରସବ ପ୍ରକ୍ରିୟାରେ ସହଯୋଗ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ସିମାଞ୍ଚଳ ଜାଲ ଏବଂ ଆମ୍ବୁଲାନ୍ସ ଚାଳକ ଡମ୍ବରୁଧର ବାନ୍ଦିଛୋର। ଶେଷରେ ଆମ୍ବୁଲାନ୍ସ ଭିତରେ ହିଁ ଏକ ଶିଶୁପୁତ୍ର ଜନ୍ମ ନେଇଥିଲା। ତତ୍ପରତା ଓ ସେବା ଭାବନା ଯୋଗୁଁ ମା’ ଓ ନବଜାତ ଶିଶୁ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ସଙ୍କଟର ସେହି କିଛି ମୁହୂର୍ତ୍ତରେ ୧୦୮ ଟିମ୍‌ର ତତ୍ପରତା ଏକ ନୂଆ ଜୀବନକୁ ସୁରକ୍ଷିତ କରିଛି। ନିଜ କର୍ତ୍ତବ୍ୟକୁ କେବଳ ଚାକିରି ନୁହେଁ, ମାନବ ସେବା ଭାବେ ଗ୍ରହଣ କରିଥିବା ଏହି କର୍ମଚାରୀଙ୍କ ଉଦ୍ୟମ ଏବେ ପ୍ରଶଂସାର ପାତ୍ର ହୋଇଛି।


Post a Comment

0 Comments