ଝରିଗାଁ (କୋଶଳ ପ୍ରହରୀ) ବିଦ୍ୟାଳୟରେ ରହି ପାଠ ପଢ଼ୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ଜାତିଆଣ ଆକ୍ଷେପ କରି ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେବାରୁ ବିଦ୍ୟାଳୟ ଛାଡି ଘରେ ବସି ରହିଥିବା ଭଲି ଏକ ସାଙ୍ଘାତିକ ଅଭିଯୋଗ ଆସିଛି । ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମର ଲଖଣ ହରିଜନ ଓ ସୁଶୀଳା ହରିଜନଙ୍କ ଝିଅ ଅନୁସୂୟା ହରିଜନ ଗାଁ ସ୍କୁଲ ପାଠ ଶେଷ କରି ଚଚା ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇ ଛାତ୍ରାବାସରେ ରହି ପାଠ ପଢୁଥିଲେ । ତେବେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିପ୍ଲବିନି ମଲ୍ଲିକ ଅନୁସୂୟାଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ଜାତିକୁ ଆକ୍ଷେପ କରି ବିଭିନ୍ନ ପ୍ରକାର ସମାଲୋଚନା କରି ଆସୁଥିଲେ। ଯେତେବେଳେ ଅନୁସୂୟାର ସହିବାର ସିମା ଟପି ଯାଇଥିଲା, ସେ ବାଧ୍ୟହୋଇ ଘଟଣା ସମ୍ପର୍କରେ ନିଜ ବାପାମା ଙ୍କୁ ଜଣେଇଥିଲେ । ଅନୁସୂୟାଙ୍କ ବାପା ଘଟଣା ସମ୍ପର୍କରେ ଜାଣିବା ସଂଗେ ସଂଗେ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ । ହେଲେ ଶିକ୍ଷୟିତ୍ରୀ ଜଣକ ଅଭିଯୋଗକୁ ଖଣ୍ଡନ କରିଥିଲେ । ଶେଷରେ ଲଖଣ କିଛି ଉପାୟ ନପାଇ ନିଜ ସମାଜର କର୍ମକର୍ତା ମାନଙ୍କୁ ଘଟଣା ସମ୍ପର୍କରେ ଜଣେଇବା ପରେ କର୍ମକର୍ତାମାନେ ବିଦ୍ୟାଳୟରେ ପହଂଚି ଘଟଣାର ତଦନ୍ତ କରିବା ସହିତ ଶିକ୍ଷୟିତ୍ରୀଙ୍କୁ ଭୁଲ ପ୍ରମାଣ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଜଣକ ସର୍ବ ସମ୍ମୁଖରେ ଭୁଲ ସ୍ୱୀକାର କରିବା ସହ ପରବର୍ତୀ ସମୟ ଏପରି ଭୁଲ କରିବିନି ବୋଲି ଏକ ଲିଖିତ ପ୍ରତିଶୃତି ଦେଇଥିଲେ । ତେବେ ଛାତ୍ରୀ ଜଣକ ବିଦ୍ୟାଳୟରେ ଉକ୍ତ ଶିକ୍ଷୟିତ୍ରୀ ଜଣକ ଥିବା ଯାଏ ମୁଁ ବିଦ୍ୟାଳୟକୁ ଯିବି ନାହିଁ କହି ବିଦ୍ୟାଳୟ ଛାଡ଼ିଥିବା ବେଳେ ଝିଅର ଭବିଷ୍ୟତକୁ ନେଇ ପରିବାର ଲୋକେ ଚିନ୍ତା ବ୍ୟକ୍ତ କରିବା ସହିତ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ଉପରେ କଠୋର ଦଣ୍ଡ ବିଧାନ ପାଇଁ ଦାବୀ କରିଛନ୍ତି ।

0 Comments