
ତୁରେକେଲା (କୋଶଳ ପ୍ରହରୀ) ଜଳବାୟୁ ପରିବର୍ତ୍ତନ ଓ ଦିନକୁ ଦିନ ବଢ଼ୁଥିବା ପରିବେଶ ପ୍ରଦୂଷଣ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ପଞ୍ଚାୟତର ଦାବ୍ରୀ ଗ୍ରାମ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ‘ମେରା ଯୁବା ଭାରତ’ ବଲାଙ୍ଗୀର (ଓଡ଼ିଶା) ସହ ଅନୁବନ୍ଧିତ ‘ଜୟ ମାଁ ଦୁଆରଶନୀ ଯୁଥ୍ କ୍ଲବ’ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ଟି ମୂଲ୍ୟବାନ ଚାରା ରୋପଣ କରାଯାଇ ପରିବେଶ ସୁରକ୍ଷା ପ୍ରତି ଯୁବପିଢ଼ିର ଦାୟିତ୍ୱବୋଧକୁ ପ୍ରତିଫଳିତ କରାଯାଇଛି। ଗୋଚର ଜମି, ଅଙ୍ଗନବାଡ଼ି କେନ୍ଦ୍ର ପରିସର, ମା' ଦୁଆରଶନୀ ମନ୍ଦିର ପରିସର ଏବଂ କ୍ଲବ ଗୃହ ନିକଟରେ ଏହି ଚାରାଗୁଡ଼ିକ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ କେବଳ ଗଛ ଲଗାଇବା ନୁହେଁ, ବରଂ ସେଗୁଡ଼ିକର ଯତ୍ନ ନେଇ ବଡ଼ କରିବା ପାଇଁ ମଧ୍ୟ ସଂକଳ୍ପ ନେଇଥିଲେ। ଏହି ଅବସରରେ କ୍ଲବ ସଭାପତି ରାଜୁ ଛତ୍ରିଆ, ଲାଇବ୍ରେରିଆନ ଦୁଃଖନାଶନ ମଲ୍ଲିକ, କ୍ଲବ ଗୃହ ଦାୟିତ୍ୱରେ ବିଶ୍ୱନାଥ ନାଗ (ବିଦୁର), ସକ୍ରିୟ ସଦସ୍ୟ ଜିତୁ ସୁନା, କ୍ୟାସିୟର ରୋହିତ ନାଗଙ୍କ ସମେତ ବହୁ ଯୁବକ ଓ ଗ୍ରାମବାସୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। କ୍ଲବ ପକ୍ଷରୁ କୁହାଯାଇଛି, “ଗଛ ହେଉଛି ଜୀବନର ଆଧାର। ପ୍ରତ୍ୟେକ ମଣିଷ ଯଦି ଅତିକମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନିଏ, ତେବେ ଆଗାମୀ ପିଢ଼ି ପାଇଁ ଏକ ସବୁଜ ଓ ସୁସ୍ଥ ପୃଥିବୀ ଗଢ଼ି ତୋଳା ସମ୍ଭବ।” ଗ୍ରାମାଞ୍ଚଳରେ ପରିବେଶ ସଚେତନତା ସୃଷ୍ଟି କରିବା ଦିଗରେ ଦାବ୍ରୀ ଗ୍ରାମର ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ହୋଇଛି।
0 Comments