ବିଜେଡି ନେତୃତ୍ୱଙ୍କ ପ୍ରତି କୃତଜ୍ଞତା, ବିକାଶ ପାଇଁ ସମର୍ପିତ ଭାବେ କାମ କରିବାର ସଂକଳ୍ପ
ଧର୍ମଗଡ଼, (କୋଶଳ ପ୍ରହରୀ): କଳାହାଣ୍ଡି ଜିଲ୍ଲାର ବିକାଶମୂଳକ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଜିଲ୍ଲା ଯୋଜନା କମିଟି (ଡିପିସି)ର ସଦସ୍ୟ ଭାବେ ଧର୍ମଗଡ଼ ଜୋନ–୦୧ର ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ ମନୋନୀତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପ୍ଲାନିଂ ଆଣ୍ଡ କନଭର୍ଜେନ୍ସ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ତାଙ୍କ ନାମ ସାମିଲ ହୋଇଛି। ଏହି ମନୋନୟନକୁ ନେଇ ଧର୍ମଗଡ଼ ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାରେ ବିଜେଡି କର୍ମୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଉତ୍ସାହର ପରିବେଶ ଦେଖାଦେଇଛି।ନିଜ ପ୍ରତିକ୍ରିୟାରେ ଗୋପୀନାଥ ମହାନନ୍ଦ କହିଛନ୍ତି, "ମୋ ଉପରେ ଆସ୍ଥା ପ୍ରକଟ କରି କଳାହାଣ୍ଡି ଜିଲ୍ଲା ଯୋଜନା କମିଟିର ସଦସ୍ୟ ଭାବେ ମନୋନୀତ କରିଥିବାରୁ ବିଜୁ ଜନତା ଦଳର ସର୍ବୋଚ୍ଚ ନେତୃତ୍ୱ, ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଏବଂ ମୋର ଶୁଭେଚ୍ଛୁ, ସମର୍ଥକ ଓ ସାଧାରଣ ଜନତାଙ୍କୁ ମୁଁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି। ଆପଣମାନଙ୍କର ଆଶୀର୍ବାଦ, ସହଯୋଗ ଓ ଭଲପାଇବା ମୋ ପ୍ରତି ଏଭଳି ଅତୁଟ ରହୁ। ଜନସାଧାରଣଙ୍କ ବିଶ୍ୱାସକୁ ସମ୍ମାନ ଦେଇ କଳାହାଣ୍ଡି ଜିଲ୍ଲାର ସର୍ବାଙ୍ଗୀଣ ବିକାଶ, ଲୋକକଲ୍ୟାଣ ଓ ଜନସମସ୍ୟାର ସମାଧାନ ପାଇଁ ମୁଁ ସଦା ସମର୍ପିତ ଭାବେ କାର୍ଯ୍ୟ କରିବି।" ତାଙ୍କ ଏହି ମନୋନୟନକୁ ନେଇ ବିଭିନ୍ନ ସାମାଜିକ ସଂଗଠନ, ଜନପ୍ରତିନିଧି ଏବଂ ବିଜେଡିର ନେତା ଓ କର୍ମୀମାନେ ଶୁଭେଚ୍ଛା ଜଣାଇଥିବା ବେଳେ, ଜିଲ୍ଲାର ବିକାଶ ପ୍ରକ୍ରିୟାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ବୋଲି ଆଶା ପ୍ରକାଶ କରିଛନ୍ତି।

0 Comments