ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ

ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି


ବରଗଡ଼/ସୋହେଲା (କୋଶଳ ପ୍ରହରୀ) : ଓଡ଼ିଶାର ବିଶିଷ୍ଟ ଲୋକ ପ୍ରିୟ ନେତା, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲିର ତିନିଥର ବିଧାୟକ ସ୍ୱର୍ଗତ ସୁଶାନ୍ତ ସିଂହଙ୍କୁ ଆଜି ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତିରେ ଅଶ୍ରୁଳ ବିଦାୟ ଜଣାଇଥିଲେ ।  ସୋହେଲାରୁ ତାଙ୍କ ପୈତୃକ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ବ୍ୟାପୀ ବିଶାଳ ଜନ ସମୁଦ୍ର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସମ୍ପୂର୍ଣ୍ଣ ଶୋକଯାତ୍ରା, ଶ୍ରଦ୍ଧାଞ୍ଜଳି ଓ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ପ୍ରାୟ ୮ ଘଣ୍ଟା ଧରି ଚାଲିଥିଲା। ଏହି ଶୋକଯାତ୍ରାରେ ବହୁ ସଂଖ୍ୟକ ବିଧାୟକ, ପୂର୍ବତନ ମନ୍ତ୍ରୀ, ସାଂସଦ ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ବିଭିନ୍ନ ଜନପ୍ରତିନିଧି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଯୁବବର୍ଗ, କୃଷକ, ଶ୍ରମିକ, ମହିଳା ଏବଂ ସମସ୍ତ ବର୍ଗର ଜନସାଧାରଣ ଯୋଗଦେଇ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଦେହାନ୍ତ କେବଳ ତାଙ୍କ ପରିବାର କିମ୍ବା ଏକ ରାଜନୈତିକ ଦଳର କ୍ଷତି ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି। ସେ ଜଣେ ସାହସୀ, ନିର୍ଭୀକ, ଜନମୁଖୀ ଏବଂ ଗରିବ ଲୋକଙ୍କ ସତ୍ୟ ସଂରକ୍ଷକ ଥିଲେ। ସେ କହିଛନ୍ତି, ଶ୍ରମ ମନ୍ତ୍ରୀ ଭାବେ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ତାଙ୍କର ଐତିହାସିକ ସଂସ୍କାର, ଶକ୍ତି ମନ୍ତ୍ରୀ ଭାବେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ, କୃଷି, ସେଚନ, ଡିପ୍ ବୋରୱେଲ୍, ଗ୍ରାମୀଣ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ, ସେତୁ ଏବଂ ଓଡ଼ିଶାର ସଂସ୍କୃତିର ବିକାଶରେ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ। ନିରଞ୍ଜନ ବିଶି କହିଛନ୍ତି ଯେ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ନିର୍ଭୀକ ନେତୃତ୍ୱ, ଲୋକସେବା ପ୍ରତି ଅଟୁଟ ସମର୍ପଣ ଏବଂ ଦରିଦ୍ର ତଥା ଅବହେଳିତ ବର୍ଗଙ୍କ ପ୍ରତି ତାଙ୍କର ଅସୀମ ସହାନୁଭୂତି ସଦା ପ୍ରେରଣାର ଉତ୍ସ ହୋଇ ରହିବ। ସେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାଙ୍କ ସଦ୍‌ଗତି କାମନା କରିଛନ୍ତି।

Post a Comment

0 Comments