ନର୍ସରି ଟ୍ୟାଙ୍କ ପୁନରୁଦ୍ଧାର ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ
ଧର୍ମଗଡ଼, (କୋଶଳ ପ୍ରହରୀ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତେଣ୍ଡାପାଲି ଗ୍ରାମ ପଞ୍ଚାୟତର ସାନକେନ୍ଦୁଗୁଡା ଗ୍ରାମରେ ଚାଲିଥିବା ନର୍ସରି ଟ୍ୟାଙ୍କ (ଅମୃତ ସରୋବର) ପୁନରୁଦ୍ଧାର ଓ ଖନନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଓ ୫ମ ଆର୍ଥିକ କମିଶନ ପାଣ୍ଠିରେ ଚାଲିଥିବା ଏହି ପ୍ରକଳ୍ପରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ନର୍ସରି ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ନିୟମ ଅନୁସାରେ ଏହି କାର୍ଯ୍ୟରେ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରି କାମ କରାଯିବା କଥା ଥିଲେ ମଧ୍ୟ ବାସ୍ତବରେ ତାହା ହୋଇନଥିବା ଅଭିଯୋଗ ଉଠିଛି। ପ୍ରକଳ୍ପ ସ୍ଥଳରେ ଲଗାଯାଇଥିବା ସୂଚନା ଫଳକରେ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ ନଥିବା ବେଳେ କାର୍ଯ୍ୟର ମାନ ମଧ୍ୟ ସନ୍ତୋଷଜନକ ନଥିବା ସ୍ଥାନୀୟ ଲୋକେ କହିଛନ୍ତି।
କ୍ଷେତ୍ର ପରିଦର୍ଶନରେ ବନ୍ଧ ଭିତରେ କେବଳ କିଛି ସ୍ଥାନରେ ସାମାନ୍ୟ ମାଟି ଖୋଳାଯାଇଥିବା ଦେଖିବାକୁ ମିଳିଥିବା ବେଳେ ସମ୍ପୂର୍ଣ୍ଣ କାର୍ଯ୍ୟ ହୋଇନଥିବା ସତ୍ତ୍ୱେ ଅର୍ଥ ବ୍ୟୟ ଦର୍ଶାଯାଇଥିବା ନେଇ ପ୍ରଶ୍ନ ଉଠିଛି। ଏହାଦ୍ୱାରା ସରକାରୀ ଅନୁଦାନର ଅପବ୍ୟବହାର ହୋଇଥିବା ସନ୍ଦେହ ପ୍ରକାଶ ପାଇଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାର ଯୋଗାଇବା। କିନ୍ତୁ ଏଠାରେ ଶ୍ରମିକଙ୍କୁ କାମ ନଦେଇ ସରକାରୀ ଅର୍ଥ ଆତ୍ମସାତ କରାଯାଉଥିବା ନେଇ ସେମାନେ ସନ୍ଦେହ ପ୍ରକଟ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସରକାରୀ ଅର୍ଥର ସଠିକ୍ ବ୍ୟବହାର ସୁନିଶ୍ଚିତ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

0 Comments