ଆର୍ଥିକ ଅସହାୟତା ଯୋଗୁଁ ଅଟକିଥିଲା ଶବ ଫେରାଇବା; ବିନ୍ଦୁ ମିନା ସେବା ଫାଉଣ୍ଡେସନ ବଢ଼ାଇଲା ସହଯୋଗର ହାତ
ଧର୍ମଗଡ/ଗୋଲାମୁଣ୍ଡା (କୋଶଳ ପ୍ରହରୀ) : ପରିବାରର ମୁହଁରେ ହସ ଫୁଟାଇବା ଓ ଦୁଇ ପଇସା ରୋଜଗାର କରିବା ଆଶାରେ ଦାଦନ ଖଟିବାକୁ ଦୂର ବାଙ୍ଗାଲୋର ଯାଇଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା, ଜୀବିକା ଅନ୍ୱେଷଣରେ ଯାଇଥିବା ୩୨ ବର୍ଷୀୟ ଯୁବକଙ୍କ ଘରକୁ ଫେରିଲା ମୃତଦେହ। ଏହି ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।ମୃତ ଯୁବକ ଜଣକ ହେଲେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମର ପୁଷ୍ପ ମଙ୍ଗରାଜଙ୍କ ପୁଅ ସଞ୍ଜୁ ମଙ୍ଗରାଜ (୩୨)। ସୂଚନା ଅନୁସାରେ, ସଞ୍ଜୁ ନିଜ ସ୍ତ୍ରୀଙ୍କ ସହ ରୋଜଗାର ଉଦ୍ଦେଶ୍ୟରେ ବାଙ୍ଗାଲୋର ଯାଇ ଶ୍ରମିକ ଭାବେ କାମ କରୁଥିଲେ। ତେବେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା।ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଉପରେ ଯେପରି ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିଲା। ଏପଟେ ସ୍ୱାମୀଙ୍କୁ ହରାଇବାର ଦୁଃଖ, ସେପଟେ ହଜାର ହଜାର କିଲୋମିଟର ଦୂରରୁ ମୃତଦେହକୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ଅର୍ଥର ଅଭାବ। ପରିବାର ମଧ୍ୟ ଏଥିପାଇଁ ଅସମର୍ଥ ଥିବାରୁ ମୃତଦେହ ଫେରାଇବା ନେଇ ସମସ୍ୟା ଦେଖାଦେଇଥିଲା। ଏଭଳି ଅସହାୟ ପରିସ୍ଥିତିରେ ମୃତକଙ୍କ ସ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସହଯୋଗ ପାଇଁ ନିବେଦନ କରିଥିଲେ। ଏହି ଖବର ପାଇବା ପରେ ବୃନ୍ଦାବାହାଲ ଗ୍ରାମର କିଛି ଲୋକ ବିନ୍ଦୁ ମିନା ସେବା ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ମାନବିକତା ଦୃଷ୍ଟିରୁ ଫାଉଣ୍ଡେସନ ପକ୍ଷରୁ ତୁରନ୍ତ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ବାଙ୍ଗାଲୋରରୁ ମୃତଦେହକୁ ନିଜ ଗ୍ରାମ ବୃନ୍ଦାବାହାଲକୁ ଅଣାଯାଇଥିଲା। ପରେ ପରିବାର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ଘଟଣା ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ଜୀବନର ଅନିଶ୍ଚିତତା ଓ ବିପଦ ସମୟରେ ସେମାନଙ୍କ ପରିବାର ସାମ୍ନା କରୁଥିବା ଆର୍ଥିକ ସମସ୍ୟାକୁ ସାମ୍ନାକୁ ଆଣିଛି। ଜୀବିକା ପାଇଁ ଘରଠାରୁ ଦୂରରେ ରହୁଥିବା ଶ୍ରମିକଙ୍କ ପାଇଁ ଜରୁରୀ ସ୍ୱାସ୍ଥ୍ୟ ସହାୟତା ଓ ସଙ୍କଟ ସମୟରେ ମୃତଦେହ ଫେରାଇ ଆଣିବାର ବ୍ୟବସ୍ଥା କେତେ ଆବଶ୍ୟକ, ତାହା ଏହି ଘଟଣାରୁ ସ୍ପଷ୍ଟ ହେଉଛି। ଗୋଲାମୁଣ୍ଡା ବ୍ଲକର ଗରିବ, ଅସହାୟ ଓ ଆବଶ୍ୟକତାରେ ଥିବା ଲୋକଙ୍କ ସେବା ପାଇଁ ବିନ୍ଦୁ ମିନା ସେବା ଫାଉଣ୍ଡେସନ ସର୍ବଦା ପ୍ରୟାସ ଜାରି ରଖିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଦୁଃଖର ଏହି ସମୟରେ ଅସହାୟ ପରିବାରକୁ ସହଯୋଗ କରିଥିବା ଫାଉଣ୍ଡେସନର ଏହି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।

0 Comments