ବ୍ରେକିଂ ନ୍ୟୁଜ

🟢 ବ୍ରେକିଂ ନ୍ୟୁଜ
ଖବର ସେୟାର କରନ୍ତୁ

କଣ୍ଟାବାଞ୍ଜିରେ ବିଦେଶୀ ମଦ ବାର୍ ଖୋଲିବା ପ୍ରସ୍ତାବକୁ ନାଗରିକ କମିଟିର ବିରୋଧ


କଣ୍ଟାବାଞ୍ଜି (କୋଶଳ ପ୍ରହରୀ) ସହରାଞ୍ଚଳରେ ପ୍ରସ୍ତାବିତ ବିଦେଶୀ ମଦ ବାର୍ ଖୋଲିବା ନିଷ୍ପତ୍ତିକୁ ନେଇ କଣ୍ଟାବାଞ୍ଜିରେ ଅସନ୍ତୋଷ ଦେଖାଦେଇଛି। ଏହି ପ୍ରସ୍ତାବକୁ ତୁରନ୍ତ ବନ୍ଦ କରିବା ସହ ଯଦି କୌଣସି ଅନୁମତି ପ୍ରଦାନ କରାଯାଇଥାଏ, ତାହାକୁ ବାତିଲ କରିବା ଦାବିରେ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସୋମବାର ତୁରେକେଳାଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିରରେ କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଦାବି ଉପସ୍ଥାପନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ଅନୁଯାୟୀ, କଣ୍ଟାବାଞ୍ଜି ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିଦେଶୀ ମଦ ବାର୍ ଖୋଲିବା ପାଇଁ ପ୍ରସ୍ତାବ ରହିଛି। ଏଭଳି ପ୍ରସ୍ତାବ ସହରର ସାମାଜିକ ପରିବେଶ, ଶାନ୍ତିଶୃଙ୍ଖଳା ଓ ଜନସୁରକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ରହିଛି। ମହିଳା, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ମଧ୍ୟ କମିଟି ଚିନ୍ତା ପ୍ରକାଶ କରିଛି। ନାଗରିକ କମିଟି ପକ୍ଷରୁ ମୁଖ୍ୟତଃ ଚାରିଟି ଦାବି ଉପସ୍ଥାପନ କରାଯାଇଛି। ସହରରେ ପ୍ରସ୍ତାବିତ ବିଦେଶୀ ମଦ ବାର୍ ଖୋଲିବା ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା, ଯଦି କୌଣସି ଅନୁମତି ବା ଲାଇସେନ୍ସ ପ୍ରଦାନ କରାଯାଇଥାଏ ତେବେ ତାହାର ପୁନଃ ସମୀକ୍ଷା କରି ବାତିଲ କରିବା, ସହରବାସୀଙ୍କ ଜନମତ ଓ ସାମାଜିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ନିଷ୍ପତ୍ତି ନେବା ଏବଂ ଶାନ୍ତି, ସୁରକ୍ଷା ଓ ସାମାଜିକ ପରିବେଶ ରକ୍ଷା ପାଇଁ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଏଥିସହ ନାଗରିକଙ୍କ ଭାବନା ଓ ସହରର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବକୁ ପ୍ରଶାସନ ଗୁରୁତ୍ୱର ସହ ବିଚାର କରିବାକୁ କମିଟି ଅନୁରୋଧ କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଉପାୟରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ କଣ୍ଟାବାଞ୍ଜି ନାଗରିକ କମିଟିର ସଭାପତି ବିଶାଳ ତାଣ୍ଡି, ସମ୍ପାଦକ ଜିତୁ ସୁନା, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ବେହେରା ଓ ସାଧାରଣ ସଦସ୍ୟ ଆକାଶ ନାଗ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିବା ସହ ଘଟଣାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଥିଲେ।

Post a Comment

0 Comments